ଜମି ବିବାଦକୁ ନେଇ ୨ଗାଁର ଗୋଷ୍ଠୀ ସଂଘର୍ଷ ପ୍ରସଙ୍ଗ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଥୁଆଙ୍ଗପଦର ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରି ନିଜର ମାଲିକାନା ଜାହିର କରିବାକୁ ନେଇ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଓ ଥୁଆଙ୍ଗପଦର ଗ୍ରାମବାସୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆହତ ଓ ୬ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ହୋଇ ଯାଇଥିଲେ। ଗୁରୁତର ଆହତ ମାନେ ଡ଼ାକ୍ତରଖାନା ମାନଙ୍କରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହାରି ମଧ୍ୟରେ ଆଜି ଜୁନ୍ ୨୦ ସୋମବାର କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଥୁଆଙ୍ଗପଦର ଗ୍ରାମବାସୀ। ପୂର୍ବ ପୁରୁଷ ଅମଳରୁ ରହି ଆସିଥିବା ଏହି ଜଙ୍ଗଲ ଜମିକୁ ସେମାନଙ୍କୁ ପ୍ରଦାନ କରିବାକୁ ସେମାନେ ଜିଲ୍ଲାପାଳଙ୍କୁ ନିକଟରେ ଦାବି କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଖର୍କଚୁଆଁ ଗାଁରେ ଥିବା ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରିବା ସହିତ ନିଜ ନିଜର ମାଲିକାନା ଜାହିର କରିବାକୁ ନେଇ ଲାଖବାହାଲି ଗ୍ରାମପଞ୍ଚାୟତର ଥୁଆଙ୍ଗପଦର ଏବଂ ବିଜେପୁର ଗ୍ରାମପଞ୍ଚାୟତର ସିନ୍ଧିଭଟା ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ରବିବାର ଏହା ଉଗ୍ର ରୂପ ଧାରଣ କରିଥିଲା। ଉଭୟ ଗାଁର ଲୋକେ ରବିବାର ଦିନ ଏହି ବିବାଦୀୟ ସ୍ଥାନ ନିଜ ଅକ୍ତିଆରକୁ ନେବା ଉଦ୍ଦେଶ୍ୟରେ ଠୂଳ ହୋଇଥିଲେ। ଏହି ସମୟରେ ଉଭୟ ଗୋଷ୍ଠୀ ଠେଙ୍ଗା, ବାଡ଼ି, ଦାଆ କଟୁରୀ ଓ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିବାରୁ ଏଥିରେ ଛଅଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଥିଲା। ଅନେକ ଲୋକ କ୍ଷତାକ୍ତ ମଧ୍ୟ ହୋଇଥିଲେ। ଏନେଇ ବିଜେପୁର ଥାନାରେ କେସ୍ ନଂ ୦୭/୨୦୨୨ରେ ଏକ ମାମଲା ରୁଜୁ ହୋଇଥିବାବେଳେ ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲହାରସ ଘଟଣାସ୍ଥଳ ପରିଦର୍ଶନ କରି ଉଭୟପକ୍ଷଙ୍କୁ ଶାନ୍ତିରକ୍ଷା ପାଇଁ ଅପିଲ୍ କରିଥିଲେ। ଆଜି ଥୁଆଙ୍ଗପଦର ଗ୍ରାମବାସୀ ଭବାନୀପାଟଣା ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଲିଙ୍ଗା ମାଝୀ, ଖଗେଶ୍ବର ନାଏକ, କାହ୍ନୁ ହରିଜନ, ଶଶି ମାଝୀ, ଅନ୍ତ ସାହୁ, ପ୍ରଦୀପ ମାଝୀ, କନେ ମାଝୀ, ରୁପା ମାଝୀଙ୍କ ସମେତ ଥୁଆଙ୍ଗପଦର ଗ୍ରାମର ଅନେକ ମହିଳା ଓ ପୁରୁଷମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.