ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଞ୍ଚଳରେ ଗରୀବ ଓ ଅନଗ୍ରସର ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ୱାର୍ଲଡ ଭିଜନ ତରଫରୁ “ଅନୁକ୍ରମ ବିକାଶ ଦିବସ ଉତ୍ସବ” (ଗ୍ରାଜୁଏସନ ଡେ ସେରିମନି) ନର୍ଲା ମାଉଣ୍ଟେନ କିଡସ୍ ଇଂଲିସ୍ ମିଡିୟମ ସ୍କୁଲର ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାର ପରିଚାଳକ ପି.ଭି. କ୍ରୀଷ୍ଣାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)
ସମ୍ମାନୀତ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଓ ଲିଲି ଦୀପ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ନର୍ଲା ବ୍ଲକ୍ ଅଞ୍ଚଳରେ ସାମାଜିକ, ଆର୍ଥିକ, ଶିକ୍ଷା କ୍ଷେତ୍ରରେ ଅନଗ୍ରସର ମାନଙ୍କ ପାଇଁ କାମ କରୁଥିବା ୱାର୍ଲଡ ଭିଜନର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ୱାଲର୍ଡ ଭିଜନର ପରିଚାଳକ ଶ୍ରୀ କ୍ରୀଷ୍ଣା ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ୱାର୍ଲଡ ଭିଜନ ର କାର୍ଯ୍ୟଧାରା ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ । ପରିଚାଳକ ପି.ଭି. କ୍ରୀଷ୍ଣା ଇଂରାଜୀରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସଦସ୍ୟ ସୋଲେମାନ ପାଣି ଓଡିଆରେ ଅନୁବାଦ କରିଥିଲେ । ଅନୁଷ୍ଠାନର ଅନ୍ୟତମ ସଦସ୍ୟା ସୁଷମା କର ମଞ୍ଚ ପରିଚାଳନା କରିଥିବା ବେଳେ, ପ୍ରତିମା ତାଣ୍ଡି, ଡେଭିଡ ରାଜୁ, ସମୀର ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନର୍ଲାର ୧୧ ଗୋଟି ଗ୍ରାମ ପଞ୍ଚାୟତର ୭୦ ଗୋଟି ଗ୍ରାମରେ ୱର୍ଲଡ ଭିଜନ କାର୍ଯ୍ୟ କରୁଛି । ଏଥିରେ ଶିଶୁ ସୁରକ୍ଷା, ପରିବେଶ ସ୍ୱଚ୍ଛତା, ଜୀବନ ଜୀବିକା ପ୍ରକଳ୍ପ, ଶିଶୁ ଓ ମା’ ର ମୃତ୍ୟୁହାର ନିୟନ୍ତ୍ରଣ ପାଇଁ “କେଆର ଗୃପ” ମଡେଲ ଜରିଆରେ ବ୍ୟାପକ କାର୍ଯ୍ୟପନ୍ଥା ପ୍ରଭୃତି ଉପରେ କାର୍ଯ୍ୟକରୁଛି । ଗତ ୧୧ ବର୍ଷ ଧରି ନର୍ଲା ଅଞ୍ଚଳରେ ଗରୀବ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ, ଶିକ୍ଷା ଓ ପରିବେଶ ପରିମଳ ଉପରେ ଜନସଚେତନତା ସୃଷ୍ଟି କରିବା । ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବା ଭଳି କାର୍ଯ୍ୟ ପାଇଁ ଉତ୍ସାହିତ କରୁଛି ୱାର୍ଲଡ ଭିଜନ ସଂସ୍ଥା ବୋଲି ସଂସ୍ଥାର ପରିଚାଳକ ପିଭି କ୍ରୀଷ୍ଣା ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ନର୍ଲା ବ୍ଲକ ଅଧିନସ୍ଥ ୧୧ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳର ୨୦୮ ଜଣ ଗରୀବ ଲୋକଙ୍କୁ ଚୟନ କରି ଗତବର୍ଷ ୱାର୍ଲଡ଼ ଭିଜନ ତରଫରୁ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା । ସେଥି ମଧ୍ୟରୁ ୯୪ ଜଣ ବ୍ୟକ୍ତି ସଫଳତା ହାସଲ କରିଥିବା ବେଳେ ଏଥି ମଧ୍ୟରୁ ଆର୍ଥିକ ଉନ୍ନତିରେ ଶିଖରରେ ପହଞ୍ଚିଥିବା ୧୦ ଜଣ ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମରେ ୧୦୦୦ ଟଙ୍କାର ଗୃହ ବ୍ୟବହାର୍ଯ୍ୟ ସାମଗ୍ରୀ, ମେଡାଲ, ସିଲ୍ଡ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ୱାର୍ଲଡ ଭିଜନ କାମ କରୁଥିବା ଘଣ୍ଟମାଳ, ଗାଡେବନ୍ଧ, ଶାନ୍ତପୁର, ବଡଧାରପୁର, ନିଶାଣପୁର, ଉଲିକୁପା, ରାକ୍ସି, ସରିଆଁ, ରୁପ୍ରାରୋଡ, ମାଣ୍ଡେଲ ଓ ସର୍ଗିଗୁଡା ପ୍ରଭୃତି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ବ୍ୟକ୍ତି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଂସ୍ଥାର ସଦସ୍ୟ ସୋଲେମାନ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।