ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ଆହତ, ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରୁ ବନ୍ଧପାରିକୁ ସଂଯୋଗ କରୁଥିବା ରାସ୍ତା ଡୁମେରମୁଣ୍ଡା ନିକଟରେ ବୁଧବାର ସନ୍ଧ୍ୟା ସାତଟା ସମୟରେ ଦୁଇଗୋଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନିଜଣ ଆହତ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଦୁଇଗୋଟି ବାଇକ୍ ମଧ୍ୟରୁ ଗୋଟିଏ ବାଇକରେ କାନକୁଟ୍ରୁ ଗ୍ରାମପଞ୍ଚାୟତର ମଟକେରା ଓ ବେନଗାଁ ଗ୍ରାମପଞ୍ଚାୟତ ଲିଟିବଣ୍ଡେଲ ଗାଁର ଜଣେ ଯୁବକ ଥିବାବେଳେ ଆଉ ଗୋଟିଏ ବାଇକରେ ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତ ସିକେରକୁପା ଗାଁର ଗୋଟିଏ ପରିବାରର ତିନିଜଣ ଥିବା ଜଣାପଡିଛି । ଦୁର୍ଘଟଣା ଘଟିବାର କିଛି ସମୟ ମଧ୍ୟରେ ସେଇ ରାସ୍ତା ଦେଇ ଫେରୁଥିବା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ସେମାନଙ୍କୁ ମୁର୍ମୁଷୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ବିଡିଓ ଶ୍ରୀ ମିଶ୍ରଙ୍କ ସହିତ ଲାଞ୍ଜିଗଡ ବ୍ଲକ ସମିତି ସଦସ୍ୟ ସଂଘ ସଭାପତି ଜଗଦୀଶ ବେନିଆଁ, ଶିକ୍ଷକ କ୍ଷୀରସିନ୍ଧୁ ସାହୁ, କିଶୋର ହରପାଲ, ଯୁବନେତା ଦେବାଶିଷ ରଞ୍ଜନ ବିଶି ପ୍ରମୁଖ ଆହତଙ୍କୁ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେ । ଆହତମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ସମାଜସେବୀ ହରିଶଙ୍କର ପାତ୍ର, ବିଶ୍ୱନାଥପୁର ସମିତିସଦସ୍ୟ ଅଜିତ ପ୍ରଧାନୀ ପ୍ରମୁଖ ସେଠାରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ । ବର୍ତ୍ତମାନ ଦୁଇ ଗୁରୁତରଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.