ଉତ୍କଟ ପାନୀୟଜଳ ସଂକଟ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ରାସ୍ତାରୋକ କଲେ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତର ମୁଷାନାଳଠାରେ ଦୀର୍ଘ ଦିନ ହେଲା ବସୁଧା ଯୋଜନାରେ ଏକ ଓଭରହେଡ ଟେଙ୍କ ନିର୍ମାଣ ହୋଇଛି କିନ୍ତୁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଅପରପକ୍ଷରେ ମୁଷାନାଳ ଗ୍ରାମବାସୀ ପାନୀୟଜଳ ମୁନ୍ଦେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଦାବି ଓ ଅଭିଯୋଗ ପରେ ମଧ୍ୟ କେହି ଶୁଣୁନାହାନ୍ତି । ଏହାକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବଢି ଚାଲିଥିବାବେଳେ ଉତ୍ୟକ୍ତ ଗ୍ରାମବାସୀ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସକାଳ ଆଠଟାରେ ମୁଷାନାଳଠାରେ ଥିବା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବିଜେପୁରରୁ ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ରାସ୍ତାକୁ ଖାଲି ଗରା, ଡେକଚି, ହାଣ୍ଡି ଆଦି ରଖି ରାସ୍ତାରୋକ କରିବା ଫଳରେ ଦୀର୍ଘ ସମୟ ଯାଏଁ ରାସ୍ତା ଅବରୋଧ ହୋଇ ରହିଥିଲା । ଯାହାଫଳରେ ବିଜେପୁରରୁ ବିଶ୍ୱନାଥପୁର ତଥା ବିଶ୍ୱନାଥପୁରରୁ ମୁଷାନାଳ, ଭବାନୀପାଟଣା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପାନୀୟ ଜଳ ଯୋଗାଣକୁ ନେଇ ନିର୍ଭର ପ୍ରତିଶ୍ରୁତି ନମିଳିଲେ ରାସ୍ତାରୁ ହଟିବୁ ନାହିଁ କି ତାଲା ଖୋଲିବୁ ନାହିଁ ବୋଲି ଲୋକେ ଅଡି ବସିଥିବା ବେଳେ ଲାଞ୍ଜି ସରପଞ୍ଚ ଯମୁନା ମାଝୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାପରେ ଘଟଣାସ୍ଥଳରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ପହଞ୍ଚିବା ସହିତ ପାନୀୟ ଜଳ ଯୋଗାଣ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିବା ପରେ ଅପରାହ୍ନ ତିନିଟା ସମୟରେ ରାସ୍ତା ଅବରୋଧ ହଟିଥିଲା । ତେବେ ପ୍ରତିଶ୍ରୁତି ଅନୁଯାୟୀ, କାର୍ଯ୍ୟ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ମୁଷାନାଳବାସୀ ଚେତାବନୀ ଦେଇଥିବା ଜଣାପଡିଛି । ଏହି ଆନ୍ଦୋଳନରେ ମୁଷାନାଳ ଗ୍ରାମବାସୀଙ୍କୁ ନୈତିକ ସମର୍ଥନ ଯୋଗାଇଦେବାକୁ ଲାଞ୍ଜିଗଡ ବ୍ଲକ କଂଗ୍ରେସ କମିଟି ସଭାପତି ହରିହର କୁମାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.