ସିକେରକୁପା ସମବାୟ ସମିତି ନିର୍ବାଚନ: ନିର୍ନ୍ଦ୍ବନ୍ଦ୍ବରେ ସଭାପତି ହେଲେ ଡମ୍ବରୁଧର, ଉପସଭାପତି ଭାବେ ନିର୍ବାଚିତ ହେଲେ ଚଞ୍ଚଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରୋଡ଼ ସ୍ଥିତ ସିକେରକୁପା ସମବାୟ ସମିତିର ନିର୍ବାଚନ ପ୍ରକ୍ରିୟା ଆଜି ଶେଷ ହୋଇଛି । ସମିତିର ସମସ୍ତ ସଦସ୍ୟ ନିର୍ନ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ସାରିଥିବା ବେଳେ ସଭାପତି ଓ ଉପ ସଭାପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥୀ ଡମ୍ବରୁଧର ମାଝୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ବିରୁଦ୍ଧରେ କେହି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିବାରୁ ଶ୍ରୀ ମାଝୀଙ୍କୁ ନିର୍ନ୍ଦ୍ବନ୍ଦ୍ବରେ ସଭାପତି ଭାବେ ଘୋଷଣା କରାଯାଇଥିଲା । ସେହିପରି ଉପ ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥୀ ଚଞ୍ଚଳା ଶବର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ତାଙ୍କୁ ମଧ୍ୟ ନିର୍ନ୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷଣା କରାଯାଇଥିଲା । ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଅଧିକାରୀ ଭାବେ ବିଶ୍ବନାଥପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ବେଣୁଧର କନ୍ଧପାଣି ଯୋଗ ଦେଇଥିବାବେଳେ ସହଯୋଗ କରିଥିଲେ ପ୍ରହଲ୍ଲାଦ ସା । ଏହି ଅବସରରେ ସମିତିର ସଦସ୍ୟ ଚନ୍ଦ୍ରଶେଖର ମହାପାତ୍ର, ନିରଞ୍ଜନ ପାତ୍ର, ଗୁଣ ବଗର୍ତ୍ତୀ, ଆର୍ତ୍ତ ମାଝୀ, ଡମ୍ବରୁ ମାଝୀ, ବୃନ୍ଦା ଶବର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତି ସଦସ୍ୟା ମୁକ୍ତା ଭୋଇ, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ସମାଜସେବୀ ପ୍ରସନ୍ନ କୁମାର ପରିଡ଼ା, ସୁଭନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.