ନର୍ଲାରେ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳରେ ନର୍ଲା, ମାଣ୍ଡେଲ, ରୁପ୍ରାରୋଡ, ରୁପ୍ରା, ବୁଢୀପଦର, ସରିଆଁ, ଲାଖଗୁଡା, ଉଲିକୁପା, ତୁଳାପଡା, ସେରଗଡ ପ୍ରଭୃତି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ରଥଯାତ୍ରା ଗୁଡିକ ବନ୍ଦ ରହିଥିଲା । ଚଳିତ ବର୍ଷ ପୂର୍ବପରି ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ବହୁତ ଜନ ଗହଳି ହେବ ବୋଲି ଜଣାପଡୁଛି । ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ନିମନ୍ତେ ନର୍ଲା ପୋଲିସ ତରଫରୁ ଗତ ଦୁଇଦିନ ତଳେ ସମସ୍ତ ରଥଯାତ୍ରା ପରିଚାଳନା କମିଟିର ସଭାପତି ଓ ସମ୍ପାଦକ ମାନଙ୍କୁ ନର୍ଲା ଥାନାକୁ ଡାକି ସେଇଠି ପୋଲିସ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତାକାଲି ଶୁକ୍ରବାର ରଥଯାତ୍ରା । ରଥଯାତ୍ରାପାଇଁ କମିଟି ଗୁଡିକ ତରଫରୁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ରଥଯାତ୍ରାକୁ ନେଇ ଆଜିଠୁଁ ଚଳଚଞ୍ଚଳ ହୋଇଯାଇଛି ନର୍ଲା ଅଞ୍ଚଳ । ରଥଯାତ୍ରା ହେବାକୁ ରହିଥିବା ବଡଦାଣ୍ଡ ଗୁଡିକରେ ଉଠାଦୋକାନୀ ମାନଙ୍କ ଦୋକାନ ପାଇଁ ସାଜସଜ୍ଜା ଆଜିଠୁଁ ଆରମ୍ଭ ହୋଇଯାଇଛି । ବଡ ଦାଣ୍ଡରେ ରଥ ଗୁଡିକୁ ମଧ୍ୟ କାରିଗର ମାନେ ଶେଷ ସ୍ପର୍ଶ ଦେଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ଗତ ୧୫ ବର୍ଷ ତଳେ ଆରମ୍ଭ ହୋଇଥିବା ନର୍ଲା ରଥଯାତ୍ରା ରେ ପ୍ରବଳ ଭକ୍ତ ସମାଗମ ହୋଇଥାଏ । ଏବେ ରୁପ୍ରାରୋଡରେ ମଧ୍ୟ ବର୍ଷ କୁ ବର୍ଷ ଜନ ଗହଳି ବଢୁଥିବା ଦେଖିବାକୁ ମିଳୁଛି । ଆଜି ନେତ୍ର ଉତ୍ସବରେ ମଧ୍ୟ ନର୍ଲା, ରୁପ୍ରାରୋଡ, ତୁଳାପଡା ପ୍ରଭୃତିର ଜଗନ୍ନାଥ ମନ୍ଦିର ଗୁଡିକରେ ପ୍ରବଳ ଭକ୍ତ ଗହଳି ଦେଖିବାକୁ ମିଳିଥିଲା । ବିଶେଷ କରି ତୁଳାପଡାର ବସ୍ତି ପଡାରେ ଗତ ମାସରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେଠାକାର ଭକ୍ତଙ୍କ ମଧ୍ୟରେ ଏନେଇ ଅନେକ ଉତ୍ସାହ ଓ ଉଦ୍ଦୀପନା ରହିଛି । ତୁଳାପଡା ଠାରେ ଦୁଇ ଗୋଟି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ନର୍ଲା ପୋଲିସ୍ ତରଫରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ପୋଲିସ୍ ସୂତ୍ରରୁ ସୂଚନା ମିଳିଛି । ନର୍ଲା ରଥଯାତ୍ରାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅପରାହ୍ନ ୪ ଟା ବେଳେ ପହଣ୍ଡି କରାଯିବ ଓ ସଂଧ୍ୟା ୬ ଘଣ୍ଟା ସମୟରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନର୍ଲା ରଥଯାତ୍ରା ପରିଚାଳନା କମିଟିର ସଭାପତି ଚିରଞ୍ଜିବୀ ଗୌଡିଆ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.