ଆଦିବାସୀଙ୍କୁ ଠକିଲେ ଆଦିବାସୀ ନେତା, ଥାନାରେ ଫେରେଇଲେ ଟଙ୍କା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଅନେକ ସମୟରେ ଆଦିବାସୀଙ୍କ ଠକେଇ, ନିର୍ଯାତନା ଆଦି ଖବର ଆସିଥାଏ ଏବଂ ତାହାର ନିରାକରଣ ପାଇଁ ଆଦିବାସୀ ନେତା ମାନେ ଅଣ୍ଟା ଭିଡ଼ିଥାନ୍ତି। ତେବେ କଳାହାଣ୍ଡି ଜିଲ୍ଲାର କେଗାଁ ଅଂଚଳରେ ଏକ ଭିନ୍ନ ପ୍ରକାର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନା ଅନୁସାରେ ସାନଚେରଗାଁ କର୍ଲାପଡା ଗ୍ରାମର ବରୁଣ ମାଝୀଙ୍କ ଠାରୁ ଜଙ୍ଗଲ ଜମି ପଟ୍ଟା କରେଇ ଦେବା ନାଁରେ ଆଦିବାସୀ ନେତା ପରମାନନ୍ଦ ମାଝୀ ୫ହଜାର ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ସେ ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାରଙ୍କ ଉପସ୍ଥିତିରେ ଦୋଷ ସ୍ୱୀକାର କରିବା ସହ ବରୁଣଙ୍କୁ ଉକ୍ତ ଟଙ୍କା ଫେରସ୍ତ କରିଥିଲେ। ଆଗାମୀ ଦିନରେ ଏଭଳି ଅସାମାଜିକ କାର୍ଯ୍ୟ କରିବେ ନାହିଁ ବୋଲି ଏକ ରାଜିନାମା ପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି। ଏଥିରେ ଜିଲ୍ଲା ଆଦିସ୍କନ୍ଧ ସମାଜ ସମ୍ପାଦକ ଲିଙ୍ଗରାଜ ଭୋଇ, ଆଦିବାସୀ ନେତା ଜନ୍ମେଜୟ ମାଝୀ, ହୃଦାନନ୍ଦ ମାଝୀ, ଦୁର୍ୟୋଧନ ମାଝି, ଘେନୁପ୍ରସାଦ ମାଝୀ, ଜୟରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷିତ ଆଦିବାସୀମାନେ ନିରୀହ ଆଦିବାସୀଙ୍କୁ ଶୋଷଣ କରୁଥିବା ନେଇ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଏ ସମ୍ବନ୍ଧରେ କେଗାଁ ଥାନା ଅଧିକାରୀ ଶ୍ରୀ କୁମ୍ଭାରଙ୍କୁ ପଚାରିବାରୁ ପରମାନନ୍ଦ ମାଝୀ ବରୁଣ ମାଝୀଙ୍କୁ ଥାନାରେ ଟଙ୍କା ଫେରାଇଛନ୍ତି ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.