ଲାଞ୍ଜିଗଡ଼଼ରୋଡ଼ ପଞ୍ଚାୟତ ମରୁଡ଼ି ତାଲିକାରୁ ବାଦ୍ ପଡ଼ିବା ଘଟଣା: ଟ୍ବିଟ ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୃଷି ମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ଗତ ତିନିବର୍ଷ ହେଲା ଲଗାତାର ମରୁଡ଼ିର ସମ୍ମୁଖୀନ ହେଉଥିଲେ ହେଁ ଫସଲ ବୀମା, ମରୁଡ଼ି ସହାୟତାରୁ ବଞ୍ଚିତ ହୋଇ ରହିଛି । ଏପରିକି ଗତବର୍ଷର ମରୁଡ଼ି ତାଲିକା ଏବର୍ଷ ଘୋଷଣା କରାଯିବା ସହ ବ୍ଲକର କେତେକ ପଞ୍ଚାୟତକୁ ମରୁଡ଼ି ଓ ବୀମା ସହାୟତା ପ୍ରଦାନ କରାଯାଇଥିବାବେଳେ ସର୍ବାଧିକ ମରୁଡ଼ିପ୍ରବଣ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ଏଥିରୁ ବାଦ୍ ପଡ଼ିଛି । ଏନେଇ ଯୁବ ସମାଜସେବୀ ସୁଶୀଲ କୁମାର ବାଗ, ନୀଲେଶ କୁମାର ନାଗ ଓ ଈଶ୍ବର ବଗର୍ତ୍ତିଙ୍କ ନେତୃତ୍ୱରେ ଚାଷୀମାନେ ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ଯୁବ ସମାଜସେବୀ ସୁଶୀଲ କୁମାର ବାଗ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ, ମୋ ସରକାର ୫-ଟି ସଚିବ, ବିଭାଗୀୟ ସଚିବଙ୍କ ସମେତ ଲୋକସଭା ସାଂସଦ ପ୍ରମୁଖଙ୍କୁ ଟ୍ବିଟ୍ ଯୋଗେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଏ ଦିଗରେ ପଦକ୍ଷେପ ନେବା ସହିତ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ । ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଚାଷୀଙ୍କ ମନରେ ସାମାନ୍ୟ ଆଶାର ସଂଚାର ହୋଇଛି । ତେବେ ବିଗତ ବର୍ଷର ଆକଳନକୁ ଭିତ୍ତି କରି ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହିତ ବୀମା ଓ ମରୁଡ଼ି ସହାୟତା ଯୋଗାଇଦେବାକୁ ଦାବି ହେଉଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.