ନର୍ଲା ଚାରିଛକରେ ସୁଖିଲା କାଠ ଗଣ୍ଡି ପଡି ଦୁଇ ଆହତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକରେ ଆଜି ୧୧ ଜୁଲାଇ ସୋମବାର ଦିନ ୧.୩୦ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ପାଣ୍ଡା ପାନ ଦୋକାନ ସାମନାରେ ବହୁ ଦିନରୁ ଶୁଖି ଯାଇଥିବା ଏକ ବିରାଟକାୟ ଆମ୍ବ ଗଛର ଗଣ୍ଡି ହଠାତ୍ ଛିଣ୍ଡି ପଡିବାରୁ ଚାରିଛକ ସ୍ଥିତ ଛାୟାଧ୍ୱନୀ ଫଟୋ ଷ୍ଟୁଡିଓ ମାଲିକ ନଗେନ୍ଦ୍ର ପଧାନ ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଶାନ୍ତିନଗର ପଡାର ୭୫ ବର୍ଷିୟା ବୃଦ୍ଧା ଗୁରୁତର ଆହତ ହୋଇଥିବା ଜଣାପଡିଛି । ଶ୍ରୀ ପଧାନ ସୁଖିଲା ଆମ୍ବଗଛ ପାର୍ଶ୍ୱସ୍ଥ ପାଣ୍ଡା ଦୋକାନରେ ଚା ପିଉଥିବା ବେଳେ ବୃଦ୍ଧା ଜଣକ ଦେହ ଅସୁସ୍ଥତା କାରଣରୁ ଗଛ ତଳ ହୋଟେଲ ପାଖରେ ବସିଥିଲେ । ବର୍ଷା ନାହିଁ କି ପବନ ନାହିଁ ହଠାତ୍ ଉକ୍ତ ସୁଖିଲା ଗଛର ବଡ ଡାଳ ଖଣ୍ଡେ ଛିଣ୍ଡି ପଡିଥିଲା । ଶ୍ରୀ ପଧାନଙ୍କ ଦେହ ଓ ମୁଣ୍ଡରେ ଆଗାତ ଲାଗିଥିବା ବେଳେ ବୃଦ୍ଧାଙ୍କ ବାମ ଜାନୁରେ ସୁଖିଲା ଡାଳ ଖୁବ୍ ଯୋରରେ ମାଡ ହୋଇଥିବା ଦେଖିବାକୁ ମିଳିଛି । ଏହି ଆହତ ଦୁଇଜଣଙ୍କୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଉଥିବା ବେଳେ ଆଘାତ କେତେଯୋର ଲାଗିଛି ତାହା ଏଯାଏଁ ଜଣାପଡିନଥିବା ଡାକ୍ତର ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଦୁଇବର୍ଷ ତଳୁ ନର୍ଲା ଚାରିଛକରେ ତିନିଗୋଟି ଗଛ, ସର୍ଗିଗୁଡା ରେଳବାଇ ଗେଟ ଫାଟକ ନିକଟସ୍ଥ ବଡମିଲ ର ଟ୍ରାନ୍ସଫର୍ମର ସାମ୍ନାରେ ଗୋଟିଏ । ଏଭଳି ନର୍ଲା ଡାକ୍ତରଖାନାରୁ ସର୍ଗିଗୁଡା ରେଳବାଇ ଫାଟକ ମଧ୍ୟରେ ମୁଖ୍ୟ ରାଜ୍ୟ ରାଜପଥ କଡରେ ୪ ଗୋଟି ବିପଦ ସଂକୁଳ ସୁଖିଲା ଗଛ ରହିଛି । ଅଞ୍ଚଳବାସୀ ଜନସାଧାରଣ ବାରମ୍ବର ନର୍ଲା ତହସିଲଦାର, ନର୍ଲା ବିଡିଓଙ୍କୁ କହି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଅଗ୍ନିଶମ ବିଭାଗ ଜରିଆରେ ଏହି ସୁଖିଲା ଗଛ ସବୁ ପ୍ରଶାସନ କଟେଇ ଦେବାର କଥା । ହେଲେ ଗତ ଦୁଇବର୍ଷ ଧରି ବିପଦ ସଂକୁଳ ଅବସ୍ଥାରେ ଚାରିଗୋଟି ସୁଖିଲା ଗଛ ରହିଥିଲେ ମଧ୍ୟ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଲୋକେ ଯାହା ଆଶଙ୍କା କରୁଥିଲେ ଆଜି ତାହା ଘଟିଛି । ଏଥିପାଇଁ ଅଞ୍ଚଳବାସୀ ନର୍ଲା ପ୍ରଶାସନ, ଅଗ୍ନିଶମ ବିଭାଗକୁ ଦାୟୀ କରିଥିବା ବେଳେ ଯେଉଁ ସବୁ ସୁଖିଲା ଗଛ ଗୁଡିକ ଏବେବି ଦଣ୍ଡାୟମାନ ହୋଇ ରହିଛି ଆଗାମୀ ଦିନରେ ଆହୁରି ଅନେକ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । କାରଣ ଆଗକୁ ବର୍ଷାଦିନ ଆସୁଛି । ଝଡି ବର୍ଷା ପବନ ହେଲେ ଏହା ପୁଣି ଖଣ୍ଡ ଖଣ୍ଡ ହୋଇ ପଡିବା ସ୍ଥିର ନିଶ୍ଚିତ । ସୁଖିଲା ଗଛ ତଳେ ତିନିଗୋଟି ଚା ପାନ ଓ ଜଳଖିଆ ଦୋକାନ ରହିଛି । ଆଖପାଖରେ ଅନେକ ଘର ରହିଛି । ଆଜିର ଦୁର୍ଘଟଣାରେ ସୁଖିଲା ଗଛ ଗଣ୍ଡି ପଡି ଦୁଇଜଣ ଗୁରୁତର ହୋଇଥିବା ବେଳେ ବିଦ୍ୟୁତ ତାର ମଧ୍ୟ ଛିଣ୍ଡି ଯାଇଥିବା ଦେଖିବାକୁ ମିଳୁଛି । ଆହତମାନଙ୍କୁ କ୍ଷତିପୂରଣ ଦେବାପାଇଁ ସାଧାରଣରେ ଦାବୀ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.