ରାଜରାସ୍ତାରେ ଗୋରୁପଲ ଭିଡ ଯୋଗୁଁ ଟ୍ରାଫିକ ସମସ୍ୟା

ବାଇପାସ ଦେଇ ଗୋରୁପଲ ନେଇଯିବା ପାଇଁ ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତି ସୋମବାର ଗୋରୁପଲଙ୍କ ଭିଡ ଯୋଗୁଁ ନର୍ଲା ରାଜରାସ୍ତା ଜାମ୍ ରହିବା ସହିତ ପ୍ରବଳ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି । ଟ୍ରାଫିକ ସମସ୍ୟା ଯୋଗୁଁ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସୀ ପଦକ୍ଷେପ ନିଆଯାଉନଥିବା ଆଲୋଚନା ହେଉଛି । ଜିଲ୍ଲା ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତର ବାଲିପଡାଠାରେ ପ୍ରତି ସୋମବାର ଗୋରୁ ବଜାର ଅନୁଷ୍ଠିତ ହୋଇଥାଏ । ବରଗଡ, ବଲାଙ୍ଗୀର, ଫୁଲବାଣୀ ପ୍ରଭୃତି ସ୍ଥାନରୁ ଲୋକେ ଏହି ବଜାରକୁ ଗୋରୁ ନେଇ ଆସିଥାନ୍ତି ବିକିବା ପାଇଁ । ଏହାବାଦ୍ ରାୟଗଡା, ମୁନିଗୁଡା, ପାର୍ବତୀପୁରମ, ବରଗଡ ପ୍ରଭୃତି ସ୍ଥାନରୁ ଗୋରୁ ବ୍ୟବସାୟୀମାନେ ଆସି ଏହି ବଜାରରୁ ଗୋରୁ କିଣି ଲୋକ ଲଗେଇ ନେଇଯାଇଥାନ୍ତି ନିଜ ଗନ୍ତବ୍ୟ ସ୍ଥଳକୁ । ବାଲିପଡା ଓ ନର୍ଲା ମଧ୍ୟରେ ୧୦ କି.ମି. ବ୍ୟବଧାନ ରହିଛି। ଗୋରୁ ବ୍ୟବସାୟୀମାନେ ଏହି ରାଜପଥରେ ହଜାର ହଜାର ସଂଖ୍ୟାରେ ଗୋରୁପଲ ନେଇ ଆସୁଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାସହ ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ମାନ ଘଟୁଥିବା ମଧ୍ୟ ନଜୀର ରହିଛି । ସକାଳ ୯ ଘଣ୍ଟାରୁ ଅପରାହ୍ନ ୨ ଟା ଯାଏଁ ନର୍ଲା ରାଜରାସ୍ତାରେ ଏଭଳି ଗାଈ, ଗୋରୁପଲଙ୍କ ଭିଡ ଦେଖିବାକୁ ମିଳିଥାଏ ପ୍ରତି ସୋମବାର ଦିନ । ଏଣୁ ଅତିଶିଘ୍ର ଟ୍ରାଫିକ ସମସ୍ୟାର ସମାଧାନ କରାଯାଉ, ଗୋରୁପଲକୁ ନର୍ଲା ରାଜରାସ୍ତାରେ ନନେଇ କମେଗାଁ କିମ୍ବା ବାଗପୁର ଦେଇ କଦମଗୁଡା ପଟେ ଲାଞ୍ଜିଗଡ଼ରୋଡ଼ ବାଇପାସ ରାସ୍ତାରେ ନିଆଯାଉ ବୋଲି ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.