ବିଭିନ୍ନ ମହଲରୁ ଶୁଭେଚ୍ଛା
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନର୍ଲାରେ ପ୍ରଥମଥର ପାଇଁ ଅସ୍ତ୍ରୋପଚାର ଜରିଆରେ ଶିଶୁ ପ୍ରସବ କରାଯାଇଛି। ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସନତ କୁମାର ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କର୍ଲାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ ଡ. ଆଶିଷ କୁମାର ଧରୁଆ ସଫଳତାର ସହ ଏହି ଅସ୍ତ୍ରୋପଚାର କରିଥିଲେ। ନର୍ଲା ଡାକ୍ତରଖାନାକୁ ଆସୁଥିବା ଏଭଳି କେସ ଗୁଡିକୁ ସାଧାରଣତଃ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥାଏ। ତେବେ ଜୁଲାଇ ୨୦ ବୁଧବାର ଦିନ ପ୍ରଥମ କରି ଡ. ଧରୁଆ ସିଜରିଂ ମାଧ୍ୟମରେ ସନ୍ତାନ ପ୍ରସବ କରାଇଥିଲେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ମହିଳା ଓ ଶିଶୁ ଉଭୟ ସୁସ୍ଥ ରହିଥିବା ଡ. ଧରୁଆ ସୁଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ଜୁଲାଇ ୧୩, ୧୬ ଓ ୨୦ ତାରିଖ ତିନିଦିନ ଧରି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ପରିବାର ନିୟନ୍ତ୍ରଣ ଯୋଜନାରେ ଅସ୍ତ୍ରୋପଚାର। କର୍ଲାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ ଡ. ଆଶିଷ କୁମାର ଧରୁଆ ତିନିଦିନ ଧରି ନର୍ଲା ଡାକ୍ତରଖାନାରେ ୮୦ ଜଣ ମହିଳାଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ। ଏହି ସମୟରେ ଟୁର୍ଚ୍ଚି ଗ୍ରାମରୁ ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ନର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡ଼. ଶତପଥିଙ୍କ ସହ ଡ଼. ଧରୁଆ ଆଲୋଚନା କରି ମହିଳାଙ୍କ ସନ୍ତାନ ପ୍ରସବ ପାଇଁ କରିଥିଲେ ଅପରେସନ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ସିଜରିଂ ଜରିଆରେ ଉକ୍ତ ମହିଳାଙ୍କ ପ୍ରଥମ ସନ୍ତାନ ପ୍ରସବ ହୋଇଥିବାରୁ ପୁଣିଥରେ ଅପରେସନ ମାଧ୍ୟମରେ ଦ୍ୱିତୀୟ ସନ୍ତାନ ପ୍ରସବ କରାଇବା ଥିଲା ଦୁରୁହ ବ୍ୟାପାର। ତଥାପି ଡ. ଧରୁଆ ରିସ୍କ ନେଇ ଅପରେସନ କରି ସନ୍ତାନ ପ୍ରସବ କରାଇଥିଲେ। ଏଥିପାଇଁ ଡ. ଧରୁଆ ଓ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସନତ କୁମାର ଶତପଥିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।