ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ, ଦେଶର ପ୍ରଥମ ନାଗରିକ ହେବେ ଓଡ଼ିଆ ଝିଅ!

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ନାଗରିକ ହେବା ଏକ ପ୍ରକାର ନିଶ୍ଚିତ ଥିବା ବେଳେ କେବଳ ଔପଚାରିକତା ବାକି ରହିଛି। ଏଠାରେ ସୂଚନାଯୋଗ୍ୟ ଯେ,ଦେଶର ୧୫ତମ ରାଷ୍ଟ୍ରପତି ପଦବୀ ଲାଗି ଗତ ଜୁଲାଇ ୧୮ରେ ଭୋଟ ଗ୍ରହଣ ହୋଇଥିଲା। ଏନଡିଏରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀ ଦଳରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଲାଗି ସବୁ ରାଜ୍ୟର ବିଧାନସଭା ଓ ନୂଆଦିଲ୍ଲୀର ସଂସଦରେ ଭୋଟ ଗ୍ରହଣ ହୋଇଥିଲା। ବିଧାୟକମାନେ ନିଜ ରାଜ୍ୟର ବିଧାନସଭାରେ ଭବନରେ ଭୋଟ ଦେଇଥିବାବେଳେ ସାଂସଦମାନେ ସଂସଦ ଭବନରେ ଭୋଟ ଦେଇଛନ୍ତି। ଭୋଟଦିନ କେତେକ ରାଜ୍ୟର ବିରୋଧୀଦଳର ବିଧାୟକ କ୍ରସ ଭୋଟିଂ କରି ଦ୍ରୌପଦୀଙ୍କ ସପକ୍ଷରେ ମତ ପ୍ରଦାନ କରିବା ଘଟଣା ଦେଶର ରାଜନୈତିକ ବାତାବରଣକୁ ଉଷ୍ଣ କରିଦେଇଛି। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଆ ଝିଅ ହୋଇଥିବାରୁ ରାଜ୍ୟବାସୀ ଉତ୍କଣ୍ଠାର ସହ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଚାହିଁ ରହିଛନ୍ତି। ଦ୍ରୌପଦୀଙ୍କୁ ସମର୍ଥନ କରିଥିବା ରାଜନୈତିକ ଦଳ ସଂଖ୍ୟା ଯଶୱନ୍ତଙ୍କ ଠାରୁ ଅଧିକ ଥିବାରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ବିଜୟ ଆଶା ଉଜ୍ଜ୍ୱଳ ରହିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.