ସ୍କୁଲ ଆରମ୍ଭରୁ ପୁଣି ଆସିଲା ଶିକ୍ଷକ ସମସ୍ୟା ଓ ପାଠପଢା ପ୍ରସଙ୍ଗ

ବେହେରାପାର୍ଟି ୟୁପି ସ୍କୁଲରେ ଛାତ୍ରଛାତ୍ରୀଙ୍କ ଧାରଣା

ପଙ୍ଖା ଖରାପ ରହିଥିବା ଯୋଗୁଁ ଅଷ୍ଟମ ଶ୍ରେଣୀକୁ ପାଠ ପଢାଇ ହେଉନାହିଁ -ସହ ଶିକ୍ଷୟତ୍ରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବେହେରାପାର୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି ଅଭାବନୀୟ ଘଟଣା । ପାଠପଢା ହେଉନଥିବା ଓ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ରହିଥିବା କଥା ବାରମ୍ବାର ବ୍ଲକ ଶିକ୍ଷା ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ବିଭାଗ କର୍ଣ୍ଣପାତ କରୁନଥିବା ନେଇ ଆଜି ଶୁକ୍ରବାର ସ୍କୁଲର ଛାତ୍ରାଛାତ୍ରୀ, ଅଭିଭାବକ ଓ ପରିଚାଳନା ସମିତିର ସଦସ୍ୟ/ସଦସ୍ୟା ମାନେ ସକାଳ ୧୦ ଘଣ୍ଟାରୁ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚନ୍ଦ୍ରକାନ୍ତ ମାହାର, ଉପସଭାପତି ସଙ୍ଗୀତା ଭୋଇ, ବରିଷ୍ଠ ସଦସ୍ୟ ତୁଳସୀରାମ ପୋଢ, ସୁଦାମ ପଣ୍ଡା, ଦମୟନ୍ତୀ ଭୋଇ, ପୁଷ୍ପାଞ୍ଜଳୀ ବାଗ, ଲିଲି ନାଏକ, କାମିନୀ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)

ବେହେରାପାର୍ଟି ୟୁପି ସ୍କୁଲରେ ପ୍ରଥମରୁ ଅଷ୍ଟମ ଯାଏଁ ୮ ଗୋଟି ଶ୍ରେଣୀ ୫୯ ଛାତ୍ରଛାତ୍ରୀ ରହିଥିବା ବେଳେ ଜଣେ ଶିକ୍ଷକ ଓ ୩ ଜଣ ଶିକ୍ଷୟତ୍ରୀ ରହିଛନ୍ତି । ଛାତ୍ରଛାତ୍ରୀ ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ କହିବା କଥା ଚାରିଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି ଠିକ୍ ହେଲେ ବିଦ୍ୟାଳୟରେ ପାଠପଢା ପ୍ରତି ଗୁରୁତ୍ୱ ଦେଉନାହାନ୍ତି । ଛାତ୍ରଛାତ୍ରୀମାନେ କୌଣସି ବିଷୟ ବୁଝିବା ପାଇଁ ଶିକ୍ଷୟତ୍ରୀ ମାନଙ୍କ ପାଖକୁ ଗଲେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରନ୍ତୁ ବୋଲି କହୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ସୁନୀତା ପାଣିଗ୍ରାହୀ କହୁଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ଗଣିତ ଓ ବିଜ୍ଞାନ ମୁଁ ପଢେଇ ପାରିବି ନାହିଁ ବୋଲି କହୁଛନ୍ତି । ଶ୍ରୀମତୀ ପାଣିଗ୍ରାହୀ ଆହୁରି କହିଛନ୍ତି ଯେ, ଅଷ୍ଟମ ଶ୍ରେଣୀ କକ୍ଷରେ ପଙ୍ଖା ନଥିବାରୁ ପଢାଇବା ସମ୍ଭବ ହୋଇ ପାରୁନି । ବାରମ୍ବାର ବିଦ୍ୟାଳୟ ପରିଚାଳନା କମିଟିଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା କହୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ଚିତ୍ରଲେଖା ମହାପାତ୍ର । ପଙ୍ଖା ଖରାପ ଥିବା ଯୋଗୁଁ ପାଠ ନପଢାଇବା ବାହାନା ମାତ୍ର । ସେଇଟା ଯୁକ୍ତି ଯୁକ୍ତ ପ୍ରସଙ୍ଗ ନୁହଁ । ସେ କହିଛନ୍ତି ଆମେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସମସ୍ତ ବିଷୟ ପଢାଇ ପାରିବୁ । ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ପାଣିଗ୍ରାହୀ ମୋ ସହିତ କଥାବାର୍ତ୍ତା କରୁନାହାନ୍ତି । ଦୀର୍ଘଦିନ ଧରି ବିନା ଛୁଟିରେ ସ୍କୁଲରେ ଅନୁପସ୍ଥିତ ରହୁଛନ୍ତି । ସେ ଛୁଟିରେ ଯିବାକଥା ମୋତେ ଜଣାଉନାହାନ୍ତି ବୋଲି । ପରିଚାଳନା କମିଟି ସଦସ୍ୟସଦସ୍ୟାଙ୍କ ଅଭିଯୋଗ ଅନୁ୍ଯାୟୀ ଜଣେ ଶିକ୍ଷୟତ୍ରୀ ଦୀର୍ଘ ୧୭ ବର୍ଷ ଧରି ଆମ ବେହେରାପାର୍ଟି ସ୍କୁଲରେ ରହିଥିବା ବେଳେ ସେ ଠିକ ଭାବରେ କଥା କହିପାରୁନାହାନ୍ତି । ସେ ନାମକୁ ମାତ୍ର ଶିକ୍ଷୟତ୍ରୀ ରହିଛନ୍ତି ହେଲେ ପାଠ ପଢାଉ ନାହାନ୍ତି । ଆମ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ନାହିଁ । ଏଣୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରିବର୍ତ୍ତ କରାଯାଇ ନୂତନ ଷ୍ଟାଫ୍ ଦିଆଯାଉ ବୋଲି ଦାବୀ ରଖିଥିବା ଜଣାପଡିଛି । ନର୍ଲା ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ସ୍କୁଲ ସମ୍ମୁଖସ୍ଥ ଧାରଣା ସ୍ଥଳରେ ପହଞ୍ଚି ସମସ୍ତ ବିଷୟ ଅବଗତ ହେବା ସହିତ ବିଦ୍ୟାଳୟ ପରିଚାଳନା କମିଟିର ଦରଖାସ୍ତ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.