ପିଏମ ଗ୍ରାମୀଣ ଆବାସ ଯୋଜନା ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆବାସ ପ୍ଲସ୍ ପୋର୍ଟାଲ ଖୋଲିବାକୁ କଲେ ଅନୁରୋଧ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବଜେଟ୍ ଏବଂ ସମୟସୀମା ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲାଯାଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦେବାକୁ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Omkar Vasthu
Omkar Vasthu

ଓଡ଼ିଶାର ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ଶ୍ରୀ ସିଂହଙ୍କୁ ଭେଟି ଏ ସମ୍ପର୍କୀତ ଏକ ପତ୍ର ପ୍ରଦାନ କରିଛନ୍ତି । ସେ ତାଙ୍କ ସହ ଆଲୋଚନା କରିବା ସହ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲାଯାଇ ରୁରାଲ ହାଉସିଂ ପୋର୍ଟାଲରୁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଭାବରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ପରମାନେଟ୍ ଓ୍ୱେଟିଂ ଲିଷ୍ଟକୁ ସ୍ଥାନାନ୍ତର କରାଯାଉ ଏବଂ ଓଡ଼ିଶାକୁ ସୁଯୋଗ ଦିଆଯାଉ । ଏହା ସହ କିପରି ଭାବରେ ଜଣେ ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହେବେ ସେ ଦିଗରେ ବ୍ୟାପକ ତଦାରଖ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଆଲୋଚନା ସମୟରେ ଏ ଦିଗରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପ୍ରତିଶ୍ରୁତି ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ବିଭାଗୀୟ ମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଦେଶର ଗରିବ, ମହିଳା, ଦିବ୍ୟାଙ୍ଗ, ଏସସି, ଏସଟି, ଓବିସି, ସଂଖ୍ୟାଲଘୁ ଏବଂ ଆର୍ଥିକ ଦୁର୍ବଳ ଦୃଷ୍ଟିରୁ ପଛୁଆ ଲୋକଙ୍କୁ ପକ୍କା ଘର ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ୨.୯୫ କୋଟି ଗୃହ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଅତିରିକ୍ତ ୧.୨୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଅନୁଦାନ ସହ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି । ବର୍ତ୍ତମାନ ଦେଶରେ ୧.୯ କୋଟି ଘର ନିର୍ମାଣ କରାଯାଇଛି । ସେହିପରି ଓଡ଼ିଶାରେ ପ୍ରାୟ ୨୭ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ଅଛନ୍ତି ।

Udyog Nursery
Udyogi Nursery

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କ୍ରିୟାନ୍ୱୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ୨୦୨୧ ଓ ୨୦୨୨ ଫେବୃୟାରୀରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ତଦନ୍ତ ଚିନ୍ତାଜନକ ଥିଲା । ଏହି ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଯୋଗ୍ୟ ହିତାଧିକାରୀଙ୍କୁ ପରମାନେଟ୍ ୱେଟିଂ ଲିଷ୍ଟରୁ ବାଦ ଦିଆଯାଇଛି । ଆୱାସ ସଫ୍ଟରେ ଦିଆଯାଇଥିବା ତଥ୍ୟରେ ବ୍ୟାପକ ଅନିୟମିତତା ଥିବା ମଧ୍ୟ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଲୋଗୋର ଟ୍ୟାମ୍ପରିଂ କରାଯାଇଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପାଣ୍ଠିକୁ ଅନ୍ୟ କାହାକୁ ହସ୍ତାନ୍ତର କରିବା ପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ୍ ନମ୍ବରକୁ ପରିବର୍ତ୍ତନ କରାଯାଇଥିଲା । ଆବାସ ସଫ୍ଟ ଡାଟାବେସରେ ବିଡ଼ିଓଙ୍କ ଦ୍ୱାରା ୯୮ ହଜାର ୫୬୨ ହିତାଧିକାରୀଙ୍କୁ ମାନୁଆଲ ଓଭରରାଇଡରେ ପାଣ୍ଠି ହସ୍ତାନ୍ତର କରାଯାଇଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା ।

ସେହିପରି ଦ୍ୱିତୀୟ ତଦନ୍ତରୁ ଜଣାପଡ଼ିଥିଲା ନିମ୍ନମାନର ବାସଗୃହ ନିର୍ମାଣ, ଆବାସ ପ୍ଲସ ସର୍ଭେରେ ତୃଟି, ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାର ଲୋଗୋ ବ୍ୟବହାରରେ ଅବହେଳା, ଯୋଜନାକୁ ରାଜ୍ୟରେ ବ୍ୟାପକ ଭାବରେ କ୍ରିୟାନ୍ୱୟନ କରିବାରେ ଓଡ଼ିଶା ସରକାର ଠିକ୍ ଭାବରେ ତଦାରଖ କରିନଥିଲେ ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା । ଏହି ଦିଗରେ ରାଜ୍ୟବ୍ୟାପୀ ସଠିକ୍ ଭାବରେ ପିଏମ ଗ୍ରାମୀଣ ଆବାସ ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଥିଲେ ।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଚୁଡ଼ାନ୍ତ ଆବାସ ପ୍ଲସ ତାଲିକାରେ ୮ ଲକ୍ଷ ୧୭ ହଜାର ୫୧୩ ଘର ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର ଶାସକ ଦଳର ଭୋଟ୍ ହାର ଅଧିକ ଥିବା ଜିଲ୍ଲାରେ ଜାଣିଶୁଣି ଅଧିକ ଘର ପ୍ରଦାନ କରିଥିଲେ । ତଥ୍ୟରୁ ଜଣାପଡ଼ୁଛି ଯେ ଏହି ୮ ଲକ୍ଷ ୧୭ ହଜାର ୫୧୩ ଘର ମଧ୍ୟରୁ ଦକ୍ଷିଣ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ଟି ଜିଲ୍ଲା ଜନଜାତି ବହୁଳ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳ ଯଥା ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଜପତି, କନ୍ଧମାଳ, ଦେବଗଡ଼ ଏବଂ ସୋନପୁର ଇତ୍ୟାଦି ୧୪ଟି ଜିଲ୍ଲାକୁ ମାତ୍ର ୬ ହଜାର ୬୪୮ ଘର ଆବଣ୍ଟନ କରାଯାଇଛି ।

ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟରୁ ସମ୍ମୁଖୀନ ହେଉଥିବା ବେଳେ ଅଧିକ ଗ୍ରାମୀଣ ପରିବାର ଦୁର୍ଗମ ଜିଲ୍ଲାରେ ବସବାସ କରୁଛନ୍ତି । ତନ୍ମଧ୍ୟରୁ ଜନଜାତି ଜନସଂଖ୍ୟା ଅଧିକ ଥିବାରୁ ଘର ଗୁଡ଼ିକ ପ୍ରଭାବିତ ହେଉଛି । ୨୦୧୯ରେ ଫୋନୀ, ୨୦୨୦ରେ ଅମ୍ଫାନ ଏବଂ ୨୦୨୧ରେ ଜଓ୍ୱାଦ ବାତ୍ୟାର ସମ୍ମୁଖୀନ ହୋଇଛି । ବାତ୍ୟା ଏବଂ ବନ୍ୟାଦ୍ୱାରା ପ୍ରଭାବିତ ଥିବା ପରିବାର ଗୁଡ଼ିକ ପରମାନେଟ୍ ଓ୍ୱେଟିଂ ଲିଷ୍ଟ କିମ୍ବା ଆବାସ ପ୍ଲସ ପ୍ଲାଟଫର୍ମରେ ସାମିଲ ହେବା ପାଇଁ ଅପେକ୍ଷା କରିଛନ୍ତି । ଜିଓ ଟ୍ୟାଗିଂରେ କିମ୍ବା ଆବାସ ପ୍ଲସ ସଫ୍ଟଓୟାରରେ ଆଧାର ଓ ଜବ୍ କାର୍ଡ ସଂଯୋଗୀକରଣରେ ବିଳମ୍ବ ଭଳି ବୈଷୟିକ ଆଧାରରେ ତ୍ରୁଟି ଲାଗି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଯୋଗ୍ୟ ହିତାଧିକାରୀ ପରମାନେଟ୍ ଓ୍ୱେଟିଂ ଲିଷ୍ଟରେ ଥାଇ ମଧ୍ୟ ବାସଗୃହ ପାଇପାରିନାହାନ୍ତି । ଏହାବ୍ୟତିତ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ପ୍ଲସ ପ୍ଲାଟଫର୍ମରୁ ବଞ୍ଚିତ ରଖାଯାଇଛି ।

ଓଡ଼ିଶା ସରକାର ଦାବୀ କରିଛନ୍ତି ଯେ ଦକ୍ଷିଣ ପଶ୍ଚିମ ଜିଲ୍ଲାର ୫.୦୯ ଲକ୍ଷ ହିତାଧିକାରୀ ସମେତ ମୋଟ ୬.୬୫ ଲକ୍ଷ ହିତାଧିକାରୀ ଷ୍ଟେଟ୍ ରୁରାଲ ହାଉସିଂ ପୋର୍ଟାଲରେ ଯୋଡ଼ାଯାଇଛି । ରାଜ୍ୟ ସରକାର ଫୋନୀ ସ୍ପେଶାଲ ଓ୍ୱିଣ୍ଡୋ ସମୟରେ ଆବାସ ପ୍ଲସ ପ୍ଲାଟଫର୍ମରେ ୫.୫ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୃକ୍ତ କରିଥିବା ବେଳେ ହିତାଧିକାରୀଙ୍କ ତାଲିକାକୁ ତଦାରଖ କରିବାକୁ ହେବ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ରାଜ୍ୟର ନିଜସ୍ୱ ଗୃହ ଯୋଜନାରେ ହିତାଧିକାରୀଙ୍କ ଯେପରି ନକଲ ନ ହୁଏ, ସେ ଦିଗରେ ବ୍ୟାପକ ତଦାରଖ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.