ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଭୋଟର ସଚେତନତା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ (ଶିବ ନାରାୟଣ ଗୈାଡ): ରାୟଗଡ଼ ନିର୍ବାଚନ ମଣ୍ଡଳୀରେ ନୂତନ ଓ ପ୍ରସ୍ତାବିତ ଯୁବ ଭୋଟର ଚିହ୍ନଟ ନିମନ୍ତେ ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜିକରଣ ଅଧିକାରୀ ଭୀମସେନ ଶବର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାୟଗଡ଼ ବ୍ଲକ ତଥା ପୌରପାଳିକା ଅଞ୍ଚଳରେ ଥିବା ମହାବିଦ୍ୟାଳୟ ଗୁଡିକରେ ସଚେତନତା ଶିବିର ମାନ ନିରନ୍ତର ଆୟୋଜନ କରାଯାଇଅଛି। ଶନିବାର ଦିନ ସେଞ୍ଚୁରିଆନ୍ ବିଶ୍ଵବିଦ୍ୟାଳୟ ପିତାମହଲ ଠାରେ ଯୁବ ଓ ପ୍ରସ୍ତାବିତ ଭୋଟରଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଜିଲ୍ଲାପାଳ ଭୀମସେନ ଶବର, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର, ସେଞ୍ଚୁରୀୟାନ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ, ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର ମଞ୍ଚାସିନ ଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗଦେଇ ନାମ ପଞ୍ଜିକରଣ ପ୍ରକ୍ରିୟା, ଅନଲାଇନ ଦରଖାସ୍ତ, ବର୍ଷରେ ଚାରୋଟି ପଞ୍ଜିକରଣ ସୁଯୋଗ ବିଷୟରେ ଅବଗତ ହୋଇଥିଲେ ଏବଂ ଭୋଟର ନମ୍ବର ସହ ଆଧାର ସଂଯୋଗିକରଣ କରିଥଲେ ।


ସେହିପରି ଗତ ଶୁକ୍ରବାର ଦିନ ଅନ୍ୟ ଏକ ଶିବିର ଅମଲାଭଟାସ୍ଥିତ ମଡେଲ ଡିଗ୍ରୀ କଲେଜ ଠାରେ ଅନୁଷ୍ଠିତ ହୋଇଥିଲା । ସେଠାରେ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ସମେତ ରାୟଗଡ଼ ତହସିଲଦାର ଶ୍ରୀ ତାପସ ରାଉତ, ରାୟଗଡ଼ ଜିପିଇଓ ଗୋପାଳ ପଣ୍ଡା ତଥା ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ସଚେତନ କରାଇଥିଲେ ।


ପ୍ରକାଶ ଥାଉକି ଆଗାମୀ ନଭେମ୍ବର ନଅ ତାରିଖରୁ ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ଆରମ୍ଭ ହେବାକୁ ଥିବା ବେଳେ, ଜିଲ୍ଲାରେ ଭୋଟର ସଂଶୋଧନ ପ୍ରକ୍ରିୟାର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଅଛି । ଅଗଷ୍ଟ ୧ ତାରିଖ ଠାରୁ ଭୋଟର ନମ୍ବର ସହ ଆଧାର ନମ୍ବର ସଂଯୋଗ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଜିଲ୍ଲାରେ ଏହି ସଂଯୋଗୀକରଣ ମନ୍ଥର ହୋଇଥିବା ବେଳେ ରାୟଗଡ଼ ଜିଲ୍ଲାପାଳ ଉଭୟ ଉପଜିଲ୍ଲାପାଳ ରାୟଗଡ଼ ଓ ଗୁଣୁପୁର ତଥା ସମସ୍ତ ବିଡିଓଙ୍କୁ ଏହା ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଓ ସହକାରୀ ଜିଲ୍ଲାପାଳ ନାରାୟଣ ମିଶ୍ର ଦୈନିକ ଏହାର ତଦାରଖ କରୁଛନ୍ତି ।


ସମସ୍ତ ସଚେତନ ନାଗରିକ ନିଜସ୍ଵ ପ୍ରଚେଷ୍ଟାରେ ଅନଲାଇନ ମାଧ୍ୟମରେ ଭୋଟର ନମ୍ବର ସହ ଆଧାର ନମ୍ବର ସଂଯୋଗ କରିପାରିବେ । ଆଧାର ନମ୍ବର ନିର୍ବାଚନ ଆୟୋଗ ଦ୍ବାରା ପ୍ରସ୍ତୁତ ୱେବ୍ ସାଇଟ୍ ରେ ସୁରକ୍ଷିତ ଥିବା ନିର୍ବାଚନ ଆୟୋଗ ଘୋଷଣା କରିଥିବା ବେଳେଏହା ଦ୍ବାରା ତୃତିଶୁନ୍ୟ ଓ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତ ସମ୍ଭବ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.