ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ବଜାର ପଡିଆଠାରେ ୧୩ତମ ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଗଉନ୍ତିଆ, ଝାଙ୍କର, ଗଉଡ ଓ ଗଣା ମଞ୍ଚକୁ ଯାଇ ପୂଜାର୍ଚ୍ଚନା କରିବା ପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କମିଟିର ସଭାପତି ସାଉଲ ମଙ୍ଗରାଜଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ନୁଆଁଖାଇ ପରମ୍ପରା ଓ କଳାହାଣ୍ଡିର ସଂସ୍କୃତି ଉପରେ ଅଭିଭାଷଣ ରଖିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ସରପଞ୍ଚ ସଂଘ ସଭାପତି ପୁରୁଷୋତ୍ତମ ରାଉତ, ବିଧାୟକ ପ୍ରତିନିଧି ତଥା ବୃନ୍ଦାବାହାଲ ସରପଞ୍ଚ ଇଂ. ଦିନେଶ କୁମାର ରାଉତ, ସାଂସଦ ପ୍ରତିନିଧି ଶ୍ୟାମ ସୁନ୍ଦର ଅଗ୍ରୱାଲ, ଖଲିଆପାଲି ସରପଞ୍ଚ ଜିମୁତ ବାହାନ ହରପାଲ, ମାନଝରୀ ସରପଞ୍ଚ ଜଗଜିବନ ସା, ଗୋଲାମୁଣ୍ଡା ସମିତି ସଭ୍ୟ ପ୍ରତିନିଧ ସୁବାଷ ନାଏକ, କମିଟି ସଂପାଦକ ପ୍ରସନ୍ନ କୁମାର ରାଉତଙ୍କ ସମେତ ଗ୍ରାମର ଝାଙ୍କର ବିଟୋ ମାଝୀ, ଗଣା ସରୋଜ କାନ୍ତ ମଙ୍ଗରାଜ, ଗଉଡ ସୁଧେର ଖରସେଲ ପ୍ରମୁଖ ମଞ୍ଚାସିନ ଥିଲେ ।
ଉକ୍ତ ଅବସରରେ ଗ୍ରାମର ଗଉନ୍ତିଆ ସୁବାଷ ଚନ୍ଦ୍ର ରାଉତ, ଝାଙ୍କର ଶ୍ରୀ ମାଝୀ, ଗଣା ଶ୍ରୀ ମଙ୍ଗରାଜ ଓ ଗଉଡ ଶ୍ରୀ ଖରସେଲ ତଥା ବିଭିନ୍ନ କ୍ଷେତ୍ରରେ ବ୍ଲକର ନାଁ ରଖିଥିବା ଛାତ୍ର ବିକାଶ ସାହୁ, ଖଗେଶ୍ୱର ନାଏକ, ମନିଷ ରଞ୍ଜନ ବୁଦ୍ଧିଆ, ଛାତ୍ରୀ ରୀତୁ ଭୋଇ, ଚାଷୀ ବିଶ୍ୱନାଥ ନାଗ, ଯୁବ ଉଦ୍ୟୋଗୀ ରୁପେସ ଅଗ୍ରୱାଲ ଓ ତିଲକ ତାଣ୍ଡି, ଫେସନ ଡିଜାନିୟର ସୁଜିତ ମେହେର, ସଂକୀର୍ତ୍ତନ ଗୁରୁ ରାମ ଚନ୍ଦ୍ର ମାଝୀ, ନାଟ୍ୟ ଲେଖକ ତଥା ନିର୍ଦ୍ଦେଶକ ବିଦ୍ୟାଧର ପୁଟେଲ, ସେବାକ୍ଷେତ୍ରରେ ମଞ୍ଜୁଳା ପଟେଲ, ଚାଷୀନେତା ପ୍ରସନ୍ନ ରାଉତଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭେଟଘାଟ ପରେ ସମ୍ବଲପୁରରୁ ଆସିଥିବା ସାଂସ୍କୃତିକ ଦଳ ରଙ୍ଗରଙ୍ଗ ସମ୍ବଲପୁରୀ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକେ ରାତି ତମାମ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।