ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୂଳ ରାମପୁର ସ୍ଥିତ ମା’ ମାଣିକେଶ୍ବରୀ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉମାକାନ୍ତ ବିହାରଠାରେ ଏକ ଅତ୍ୟାଧୁନିକ ସ୍ମାର୍ଟ ଶ୍ରେଣୀକକ୍ଷର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଶୁଭ ଶିଳା ସ୍ଥାପନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ, ସମାଜସେବୀ ଭାରତ ଦଣ୍ଡସେନା, କପିଳାସ ନାଏକ, ପବିତ୍ର ନାଏକ, ଋତୁରାଜ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଞ୍ଚଳର ବିକାଶରେ ଶିକ୍ଷାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ବବୃବାହାନ ବୁଦ୍ଧିଆ ସଭା ପରିଚାଳନା କରିଥିଲେ । ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।