ହାତୀବନ୍ଧା-କୋପିଆ ବିଜୁସେତୁ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ

ଉଦଘାଟନ ନ ହେଉଣୁ ସେତୁ ଉପରୁ ଉପୁଡି ପଡୁଛି ସିମେଣ୍ଟ ଗେଟି, ଦିସିଲାଣି ଲୁହା ଛଡ଼

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା-କୋପିଆ ବିଜୁସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁଁ ସେତୁଉପରୁ ସିମେଣ୍ଟ ଓ ଗେଟି ଉପୁଡି ପଡୁଥିବା ବେଳେ ଲୁହଛାଡ଼ ଉପରୁ ଦେଖାଦେଲାଣି । ପୁଣି ଉକ୍ତ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଆଜକୁ ପ୍ରାୟ ଚାରିବର୍ଷ ବିତିଲାଣି, ହେଲେ ଉଦଘାଟନ ହୋଇ ନାହିଁ । ଉଦଘାଟନ ପୂର୍ବରୁ ସେତୁର ଏଭଳି ଦୁରାବସ୍ଥା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏଠାରେ ସୂଚନାଯୋଗ୍ୟ ଯେ, ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ୨୦୧୬ ମସିହାରେ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୭.୫୦ ମି. ପ୍ରସ୍ଥ ଓ ୩୦୭.୦୩ ମି. ଦୈର୍ଘ୍ୟ ବିଶିଷ୍ଟ ସେତୁ ନିର୍ମାଣ କାର୍ଯ୍ୟ ପାଇଁ ମୋଟ ୧୫.୨୨ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲା । ସେତୁର ନିର୍ମାଣ କାର୍ଯ୍ୟ ୨୦୧୬ ଜାନୁଆରୀରେ ଆରମ୍ଭ ହୋଇ ୨୦୧୮ ମଇ ମାସରେ ଶେଷ ହେବାର ନିର୍ଦ୍ଧାରିତ ଥିଲା ।

ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ବାରମ୍ବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ଅଭିଯୋଗ ହୋଇଥିଲା । ହେଲେ ବିଭାଗୀୟ ଅଧିକାରୀ ଏହି ଅଭିଯୋଗକୁ କର୍ଣ୍ଣପାତ ନକରି କାର୍ଯ୍ୟ କରିଚାଲିଥିଲେ । ଯାହାର ପରିଣାମ ବର୍ତ୍ତମାନ ଦେଖାଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ସେତୁ ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟ ଯୋଗୁ ସେତୁର ସିମେଣ୍ଟ ଓ ଗେଟି ଉପୁଡି ପଡିବା ସହ ଲୁହାଛଡ଼ ଉପରକୁ ଉଠିଯାଇ ବିପଦ ସୃଷ୍ଟି କରିଛି । ନିର୍ମାଣ କାର୍ଯ୍ୟରେ ନିର୍ଦ୍ଧାରିତ ଅବଶ୍ୟକୀୟ ପରିମାଣର ସିମେଣ୍ଟ ,ବାଲି ଓ ଗେଟି ଠିକ ଅନୁପାତରେ ନ ଦେବାରୁ କମ ସମୟ ମଧ୍ୟରେ ସେତୁର ଅବସ୍ଥା ଏଭଳି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.