ଯୁବା ବୟସରେ ବଳି ପଡୁଛି ଭିନ୍ନକ୍ଷମ ଦୁଃଖ: ଆଶାବାଡି ସାହାରାରେ ଥବିର ପାତ୍ର, ଅପହଞ୍ଚ ସରକାରୀ ସାହାଯ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଏଥିସହ ଅସହାୟ ବ୍ୟକ୍ତି ମାନଙ୍କୁ ସହାୟତା ଯୋଗାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ କରୁଥିବା ଡିଣ୍ଡିମ ପିଟା ଚାଲିଛି ‌। ଏଥିପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ମଧ୍ୟ । ତେବେ ପରିତାପର ବିଷୟ ଆଜି ମଧ୍ୟ ହଜାର ହଜାର ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କ ପାଖରେ ସରକାରୀ ସୁବିଧା ଅପହଞ୍ଚ ହୋଇ ରହିଛି । ସେମାନେ ସମାଜରେ ଅବହେଳିତ ଜୀବନ ନିର୍ବାହ କରୁଛନ୍ତି । ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡୁଡ଼କାରଞ୍ଜା ପଞ୍ଚାୟତ ଅନ୍ତର୍ଗତ ଚିଟ୍ରା ଗ୍ରାମରେ । ଏହି ଗ୍ରାମର ଥବିର ପାତ୍ର ଆଶାବାଡି ସାହାରାରେ ବଞ୍ଚିଥିବା ବେଳେ ଭିନ୍ନକ୍ଷମ ଯନ୍ତ୍ରଣା ଜୀବନର ପ୍ରତି କ୍ଷଣରେ ତାଙ୍କୁ କଷ୍ଟ ଦେଇ ଚାଲିଛି । ନିଜର ଘର ଖଣ୍ଡେ ନଥିବା ବେଳେ ସେ ପର ଛାତ ତଳେ ମୁଣ୍ଡ ଗୁଞ୍ଜିଛନ୍ତି । ଆବାସ ଗୃହ ଓ ଜୀବନ ଜୀଇଁବା ପାଇଁ ଭତ୍ତା ସହ ଆଶାବାଡି ଟିଏ ପାଇବା ପାଇଁ ସରପଞ୍ଚଙ୍କ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ନେହୁରା ହେଉଛନ୍ତି । କିନ୍ତୁ କୈାଣସି ସୁଫଳ ମିଳିପାରିନାହିଁ । ଏନେଇ ଥବିର ପାତ୍ର ଜିଲ୍ଲାପାଳଙ୍କ ଠାରେ ଲିଖିତ ଆବେଦନ କରିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଚିଟ୍ରା ଗ୍ରାମର ସ୍ବର୍ଗତ କେଶବ ପାତ୍ରଙ୍କ ପୁଅ ଥବିର ପାତ୍ର(୨୪) ଗତ ବର୍ଷେ ତଳେ ସଡକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ତାଙ୍କର ଦୁଇ ଗୋଡ଼ର ହାଡ଼ ବିଭିନ୍ନ ଜାଗାରେ ଭାଙ୍ଗି ଯାଇଛି । ଗୋଡ଼ର ବିଭିନ୍ନ ସ୍ଥାନରେ ଅସ୍ତ୍ରୋପଚାର ଦ୍ୱାର ସାମାନ୍ୟ ସ୍ୱାସ୍ଥ୍ୟବସ୍ଥା ସୁଧୁରୀ ଥିଲେ ମଧ୍ୟ ସଳଖି ଛିଡା ହୋଇ ଚଳାବୁଲା କରିବାର କ୍ଷମତା ହରାଇବସିଛନ୍ତି । ଆଶାବାଡି ବିନା ଚଳ ପ୍ରଚଳ ପାଇଁ ସେ ସମ୍ପୂର୍ଣ୍ଣ ଅକ୍ଷମ ଅଟନ୍ତି । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନ ଥିବା ବେଳେ ଏବେ ପର ଆଶ୍ରିତ ହୋଇ ଜୀବନ କାଟୁଛନ୍ତି । ସରକାରୀ ସହାୟତାରେ କିଛି ଭତ୍ତା ଟଙ୍କା ଓ ଆବାସ ଘର ଖଣ୍ଡିକ ପାଇବା ପାଇଁ ସରପଞ୍ଚଙ୍କ ଠାରୁ ବ୍ଲକ ପ୍ରଶାସନ ଠାରେ ଅନେକ ଥର ଗୁହାରି କଲାପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଶେଷରେ ସେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଥବିର ବର୍ତ୍ତମାନ ବେରୋଜଗାର ହୋଇ ପଡି ରହିଥିବାରୁ ପ୍ରଶାସନ ତୁରନ୍ତ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.