ମୃତ୍ୟୁର କାରଣ ଏଯାବତ୍ ହୋଇନାହିଁ ସ୍ପଷ୍ଟ, ତଦନ୍ତ କରୁଛି ପୋଲିସ
ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନାର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାରେ ମା ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ଗତକାଲି ଗୁରୁବାର ଛାତ୍ରୀ ଜଣକ ଘୁ.ଉଦୟଗିରି ଡାକ୍ତରଖାନାରେ ଏକ ଶିଶୁ ପୁତ୍ର ଜନ୍ମ କରିବା ପରେ ନବଜାତ ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ ଆଜି ଶୁକ୍ରବାର ମା’ ଅର୍ଥାତ୍ ଛାତ୍ରୀ ଜଣକ ଆଖି ବୁଝିଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଗତ ସେପ୍ଟେମ୍ବର ୨୪ ତାରିଖରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅଧୀନସ୍ଥ ବେଲଘର ଥାନା ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଘଟଣା ସାମ୍ନାକୁ ଆସିଥିଲା ।
ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା ଏବଂ ପିଡ଼ିତାଙ୍କୁ ଡାକ୍ତରୀ ମାଇନା କରାଇବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଇଥିଲା । ଏହାପରେ ଘୁ.ଉଦୟଗିରିରେ ଥିବା ସୁଧାର ଗୃହରେ ସମ୍ପୃକ୍ତ ଛାତ୍ରୀଙ୍କୁ ରଖାଯାଇଥିଲା । ହେଲେ ଗତକାଲି ସମ୍ପୃକ୍ତ ଛାତ୍ରୀ ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ କିନ୍ତୁ କିଛି ସମୟପରେ ନବଜାତକର ମୃତ୍ୟୁ ଘଟିଥିବା ବେଳେ ଆଜି ସମ୍ପୃକ୍ତ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।