ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ୨୦୦୧ ମସିହାରୁ ନିୟମିତ ଭାବେ ଓଡ଼ିଆ ସାହିତ୍ୟର ଜଣେ ସୁଯୋଗ୍ୟ ଲେଖକଙ୍କୁ ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ଚଳିତ ବର୍ଷ ପାଇବେ ଲେଖକ ସରୋଜ ବଳ। ମିରର୍ ଇମେଜ୍, ପାୱାର୍ କଟ୍, ପ୍ରେମ ପହଣ୍ଡି ଭଳି ଛଅଗୋଟି ଗଳ୍ପ ସଂକଳନ, ଦେହ, ଜୀବନଯୋଗ, ଜନପଥରେ ଖରା, ସମୟ ସହ ସେଲ୍ଫି ଭଳି ନଅଗୋଟି କବିତା ସଂକଳନ ତଥା ଦୁଇଗୋଟି ଉପନ୍ୟାସର ସ୍ରଷ୍ଟା ସରୋଜ ସାଂପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ପ୍ରଭାବଶାଳୀ ସ୍ରଷ୍ଟା ଭାବେ ସୁପରିଚିତ। ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ଵାରା ପ୍ରଦତ୍ତ ଏହି ସମ୍ମାନ ସ୍ୱରୂପ ମାନପତ୍ର ଉପଢୌକନ ଏବଂ ସମ୍ମାନ ବାବଦକୁ ଥିବା ଅର୍ଥରାଶି ଆଗାମୀ ନଭେମ୍ବର ୧୪ରେ ହେବାକୁ ଥିବା ‘ମହାବୀର ମହୋତ୍ସବ’ ଅବସରରେ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ପ୍ରକାଶ କରିଛନ୍ତି।