ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା ରଣଜୀ ଟ୍ରଫିର ପୂର୍ବତନ ଖେଳାଳି ବିକାଶ ସ୍ୱରୂପ ପତି ବିସିସିଆଇ ମ୍ୟାଚ୍ ରେଫରି ଭାବେ ମନୋନୀତ ହୋଇଛନ୍ତି। ୩୭ ବର୍ଷୀୟ ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଏହି ସଫଳତା ସହିତ ଓଡ଼ିଶାର ପଞ୍ଚମ ମ୍ୟାଚ୍ ରେଫରି ହୋଇଛନ୍ତି। ବିସିସିଆଇ ମ୍ୟାଚ୍ ରେଫରୀଙ୍କ ପ୍ୟାନେଲରେ ସାମିଲ ହେବା ପାଇଁ ଯୋଗ୍ୟ ପ୍ରାର୍ଥୀ ଚିହ୍ନଟ କରିବା ପାଇଁ ବୋର୍ଡ ସେପ୍ଟେମ୍ବର ୫ ଓ ୬ରେ ବେଙ୍ଗାଲୁରୁରେ ଏକ କୋର୍ସ ଓ ପରୀକ୍ଷା ଆୟୋଜନ କରିଥିଲା। ମୋଟ ୧୪ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୂର୍ବତନ ଓପନର ବିକାଶ ସ୍ୱରୂପ ପତି ୮୦.୫% ମାର୍କ ରଖି ଅଷ୍ଚମ ରାଙ୍କ୍ ହାସଲ କରିଛନ୍ତି। ଏବେ ପୁରୁଷ ବରିଷ୍ଠ ଚୟନ କମିଟିର ସଦସ୍ୟ ଥିବା ବିକାଶ ପତି ଓଡ଼ିଶା ପାଇଁ ୩୫ଟି ପ୍ରଥମ ଶ୍ରେଣୀ, ଖେଳିଥିବା ବେଳେ ୨୧ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି।