ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜଣେ ଅଣ ଓଡ଼ିଆ ମାନସିକ ବିକୃତ ମହିଳା କିଛିଦିନ ହେଲା ଭବାନୀପାଟଣା ସହରରେ ଏପଟେ ସେପଟେ ବୁଲୁଥିଲେ । ତାଙ୍କୁ ଦେଖି ସହର ଆଶିଷ ନାମକ ଜଣେ ବ୍ୟକ୍ତି କିଛି ଖାଦ୍ୟ ଦେଇ ସେଠାରେ ରହିବାପାଇଁ କହିଥିଲେ । ଉକ୍ତ ମହିଳା ଜଣକ ଖାଦ୍ୟ ଖାଇ ଦୁଇଦିନ ଧରି ଏସପି ଅଫିସ ପାଖରେ ରହିଥିଲେ । ଆଶିଷ ସମାଜସେବୀ ଯଶୋବନ୍ତ ରଣାଙ୍କ ସହିତ ଯୋଗାଯୋଗ କରି ଉକ୍ତ ମହିଳାଙ୍କ ବିଷୟରେ ଜଣାଇଥିଲେ । ଖବର ପାଇବାପରେ ସମାଜସେବୀ ରଣା ଉକ୍ତ ସ୍ଥାନକୁ ଯାଇ ସମସ୍ୟା ବିଷୟର ସମସ୍ତ ଭବାନୀପାଟଣା ଆଇଆଇସି ପ୍ରଦୀପ ଧରୁଆ ଓ ଡ଼ିଏସଡବ୍ଲୁ ଅଫିସରେ କାର୍ଯ୍ୟରତ ରଞ୍ଜନା ସିଂଙ୍କୁ ଜଣେଇଥିଲେ । ସୁରକ୍ଷା ଦୃଷ୍ଟିରୁ ଉକ୍ତ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ତାଙ୍କୁ କୌଣସି ଆଶ୍ରମରେ ରଖିବାକୁ ଅନୁରୋଧ କରିଥିଲେ । ଆଇଆଇସି ଶ୍ରୀ ଧରୁଆ ଉକ୍ତ ମହିଳାଙ୍କୁ ସାକ୍ଷୀ ହୋମରେ ଗୋଟିଏ ଦିନ ପାଇଁଁ ରଖି ଦୁଇଦିନ ଭିତରେ ତାଙ୍କୁ କୌଣସି ଏକ ଆଶ୍ରମରେ ରଖିବାପାଇଁ କହିଥିଲେ । ଶ୍ରୀ ରଣା ସାକ୍ଷୀର କର୍ମକର୍ତାଙ୍କ ସହିତ କଥା ହୋଇ ମହିଳା କନେଷ୍ଟବଳଙ୍କ ସହାୟତାରେ ଉକ୍ତ ମହିଳାଙ୍କୁ ସାକ୍ଷୀରେ ନେଇ ରଖିଥିଲେ । ତାଙ୍କ କାଉନସେଲିଙ୍ଗ କରି ଉକ୍ତ ମହିଳାଙ୍କୁ ଧର୍ମଗଡ଼ର ମିଶନ ଚାରିଟିରେ ଥଇଥାନ କରିଛନ୍ତି । ସ୍ବେଛାସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି ।