‘ବ୍ୟଭିଚାରିଣୀ ସ୍ତ୍ରୀଙ୍କର ଭରଣପୋଷଣ ଅଧିକାର ନାହିଁ’ -ହାଇକୋର୍ଟ

ଓଡ଼ିଆ ବାର୍ତ୍ତା/ ଚଣ୍ଡିଗଡ଼: ଛାଡପତ୍ର ଆଦେଶ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରି ପଞ୍ଜାବ-ହରିୟାଣା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବ୍ୟଭିଚାର କାରଣରୁ ଛାଡପତ୍ରର ଆଦେଶ ଦିଆଯାଇଥିଲେ ସ୍ତ୍ରୀଙ୍କର ଭରଣପୋଷଣ ଅଧିକାର ନାହିଁ। ଏହି ଆବେଦନକୁ ଖାରଜ କରିବା ସହିତ ଅମ୍ବାଲା ପରିବାର କୋର୍ଟ ଛାଡପତ୍ରର ରାୟକୁ ମଧ୍ୟ ହାଇକୋଟ କାଏମ୍‌ ରଖିଛନ୍ତି। ମହିଳା ଜଣକ ହାଇକୋର୍ଟରେ ଏକ ଆବେଦନ କରିଥିଲେ ଯେଉଁଥିରେ ଅମ୍ବାଲାର ଫ୍ୟାମିଲି କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ଯେଉଁଥିରେ ଛାଡପତ୍ର ସହ ତାଙ୍କ ସ୍ବାମୀଙ୍କ ଆବେଦନକୁ ଅନୁମତି ଦିଆଯାଇଥିଲା। ଆବେଦନ ଶୁଣାଣି ସମୟରେ ସ୍ବାମୀ କହିଥିଲେ ଯେ ତାଙ୍କ ସ୍ତ୍ରୀ ତାଙ୍କୁ ହଇରାଣ କରୁଥିଲେ ଏବଂ ତାଙ୍କୁ ବାରମ୍ବାର ଦୁର୍ବ୍ୟବହାର କରୁଥିଲେ। ବିବାହ ପରେ ହିଁ ସେ ଲୋକଙ୍କ ସାମ୍ନାରେ ଅପମାନ କରିବା ଆରମ୍ଭ କରିଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ଅମ୍ବାଲା ଜେଲରେ ପୋଷ୍ଟ ହୋଇଥିବା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ ସ୍ତ୍ରୀଙ୍କର ଅନୈତିକ ସମ୍ପର୍କ ରହିଛି ଏବଂ ତାଙ୍କ ବନ୍ଧୁମାନେ ଜେଲ ଅଧିକାରୀଙ୍କୁ ସ୍ତ୍ରୀଙ୍କ ଘରକୁ ଅନେକ ଥର ଆସିଥିବାର ଦେଖିଛନ୍ତି। ସ୍ବାମୀ କହିଥିଲେ ତାଙ୍କ ଅଭିଯୋଗ ଉପରେ ଡିଜିପି ଏହି ଘଟଣାର ତଦନ୍ତ ଡିଏସପିଙ୍କୁ ଦେଇଛନ୍ତି। ଡିଏସପି ତାଙ୍କ ଅନୁସନ୍ଧାନ ରିପୋର୍ଟରେ ଏହାକୁ ବ୍ୟଭିଚାର ମାମଲା ବୋଲି ଉଲ୍ଲେଖ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାରେ ପୋଲିସର ରିପୋର୍ଟ ରହିଛି ଯେଉଁଥିରେ ଆବେଦନକାରୀଙ୍କ ବ୍ୟଭିଚାର ବିଷୟରେ ଉଲ୍ଲେଖ ରହିଛି। ଏହି ପର୍ଯ୍ୟବେକ୍ଷଣ ସହିତ ପରିବାର କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ପରେ ଆବେଦନକାରଣୀ ଭରଣପୋଷଣ ଦାବି କରିଥିଲେ। ଅଦାଲତ କହିଛନ୍ତି ଯେ ଏହି ମାମଲାରେ ବ୍ୟଭିଚାର ହେତୁ ଛାଡପତ୍ର ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏପରି କ୍ଷେତ୍ରରେ ଆବେଦନକାରଣୀ ଭରଣପୋଷଣ ପାଇଁ ଯୋଗ୍ୟା ନୁହଁନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.