ମସ୍କୋ-ଦିଲ୍ଲୀ ବିମାନରେ ବୋମା ଆତଙ୍କ, ଲୋକେ ଭୟଭୀତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ଆତଙ୍କ। ଗୁରୁବାର ବିଳମ୍ବିତ ରାତିରେ ଗୋଟାଏ ବିମାନରେ ବୋମା ଥିବା କଥା ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଲୋକେ ଭୟଭୀତ ହୋଇପଡିଲେ। ବିଳମ୍ବିତ ରାତି ପ୍ରାୟ ୩ଟା ୨୦ରେ ବିମାନଟି ଦିଲ୍ଲୀ ଏୟାରପୋର୍ଟରେ ଳ୍ୟାଣ୍ଡ୍‌ କରିଥିଲା। ଧମକ ଆସିବା ପରେ ଯାତ୍ରୀ ଓ କ୍ରୁ’ମାନଙ୍କୁ ଓହ୍ଲାଇ ଦିଆଯାଇ ତଦନ୍ତ ଆରମ୍ଭ କରାଯାଇଥିଲା ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି। ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ଟା ୧୫ରେ ଫୋନ୍‌କଲ୍‌ ଆସିଥିଲା ଯେ ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନ No SU 232ରେ ବୋମା ରହିଛି। ଏହା ପରେ ବମ୍ ଡିସପୋଜାଲ୍ ସ୍କ୍ୱାଡ୍ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ପଠାଯାଇ ବିମାନଟି ରନୱେ ୨୯ ରେ ଅବତରଣ କରିଥିଲା। ବିମାନଟି ଲ୍ୟାଣ୍ଡ କରିବା ପରେ ୩୮୬ ଜଣ ଯାତ୍ରୀ ଏବଂ ୧୬ ଜଣ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହାସହ ସମଗ୍ର ଘଟଣାର ତଦନ୍ତ କରାଯାଇଥିଲା। ହେଲେ କୌଣସି ବୋମା ମିଳିନଥିଲା।ଅଧିକାରୀଙ୍କ ଅନୁଯାୟୀ ବିମାନଟି ତନ ତନ କରି ଯାଞ୍ଚ କରାଯାଇଥିଲା କିନ୍ତୁ କୌଣସି ସନ୍ଦେହଜନକ ତଥ୍ୟ ମିଳିନାହିଁ। ସେହିପରି ସମସ୍ତ ବିମାନଠାରୁ ଏହି ବିମାନକୁ ଅଲଗା ସ୍ଥାନରେ ପାର୍କିଂ କରାଯାଇଛି। ସେପଟେ ଏହା ମିଥ୍ୟା ଧମକ ବୋଲି ପ୍ରାଥମିକ ତଦନ୍ତରୁ ପୋଲସି ଅନୁମାନ କରୁଛି। କିନ୍ତୁ ଏହି ଘଟଣା ଯୋଗୁଁ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜୀତୀୟ ବିମାନ ବନ୍ଦରରେ ବିମାନ ଚଳାଚଳରେ ସାମାନ୍ୟ ବିଳମ୍ବ ଘଟିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.