ଚେନ୍ନାଇକୁ କାମ କରିବାକୁ ଯାଇଥିଲେ ଯୁବକ, ଗାଁକୁ ଫେରିଲା ମୃତଦେହ

କମ୍ପାନୀର ସହଯୋଗ କ୍ରମେ ଭିଟାମାଟିକୁ ଆସିଲା ଶବ

ଓଡ଼ିଆ ବାର୍ତ୍ତା/କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଚେନ୍ନାଇକୁ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ନିଜ ଗାଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ସାସିଗାଡ଼ାରେ ପହଞ୍ଚିଛି । ସେ ହେଲେ ଉକ୍ତ ଗାଁର ବିପିନ ମଲ୍ଲିକଙ୍କ ପୁଅ ରତନ ମଲ୍ଲିକ (୧୮) । ସୂଚନାଯୋଗ୍ୟ ଯେ, ରତନ କିଛିମାସ ତଳେ ଚେନ୍ନାଇ ଯାଇ ଏକ ଆଲୁମିନା କମ୍ପାନୀରେ କାର୍ଯ୍ୟ କରୁଥିଲେ । ଗତ ବୁଧବାର ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା । ତେଣୁ ସେ ଗ୍ରାମକୁ ଆସିବା ପାଇଁ କମ୍ପାନୀରୁ ଏକ ବସ୍‌ ଯୋଗେ ରେଳଷ୍ଟେସନ ଆସୁଥିଲେ । ହେଲେ ରାସ୍ତାରେ ରତନଙ୍କ ମୃତ୍ୟୁ ଘଟିଥିଲା । ବସ୍‌ କର୍ମଚାରୀଙ୍କଠାରୁ ଖବର ପାଇ ସେଠାକାର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ରତନଙ୍କ ପରିବାର ଏବଂ କମ୍ପାନୀକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ଦାରିଙ୍ଗବାଡ଼ି ଅଞ୍ଚଳର କାର୍ଯ୍ୟରତ କିଛି ଶ୍ରମିକ ଏବଂ ଉକ୍ତ କମ୍ପାନୀର କର୍ମଚାରୀ ଥାନାରେ ପହଞ୍ଚି ରତନଙ୍କୁ ଚିହ୍ନଟ କରିବା ସହ ଲିଖିତ ଭାବେ ଜଣାଇବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ଗାଁକୁ ଆଣିବା ପାଇଁ ସମସ୍ତ ଆଇନଗତ ପ୍ରକ୍ରିୟା କରାଯାଇ ଥିଲା । କମ୍ପାନୀର ସହଯୋଗ କ୍ରମେ କାର୍ଯ୍ୟରତ ଶ୍ରମିକ ମାନେ ମୃତଦେହ ଧରି ସାସିଗାଡ଼ାରେ ପହଞ୍ଚିଥିଲେ । ଘରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବିଡିଓ ଗଦାଧର ପାତ୍ର ରତନଙ୍କ ପରିବାର ଲୋକଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.