T20 ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଏଥର ହାରିଲା ୨ ଥର ଚାମ୍ପିୟନ ଟିମ

ଓଡ଼ିଆ ବାର୍ତ୍ତା/ ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ୨ୟ ଦିବସରେ ମଧ୍ୟ ବଡ ବିପର୍ଯ୍ୟୟ ଘଟିଛି । ସ୍କଟଲାଣ୍ଡ ୨ଥରର ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ୪୨ ରନରେ ହରାଇ ଦେଇଛି । ଏହା ପୂର୍ବରୁ ଶ୍ରୀଲଙ୍କାକୁ ନାମ୍ବିଆ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ଜର୍ଜ ମନଞ୍ଜିଙ୍କ ୬୬ ରନ ସହାୟତାରେ ୨୦ ଓଭରରେ ୫ ୱିକେଟ ହରାଇ ୧୬୦ ରନ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ଟିମ ୧୮.୩ ଓଭରରେ ୧୧୮ ରନ କରି ଅଲଆଉଟ ହୋଇ ଯାଇଥିଲେ । ରନ ଚେଜ କରିବା ବେଳେ ୱେଷ୍ଟଇଣ୍ଡିଜ ୫ ଓଭରରେ ୫୩ ରନ ସଂଗ୍ରହ କରି ସୁବିଧାଜନକ ସ୍ଥିତିରେ ରହିଥିଲା । ମାତ୍ର ଏହା ପରେ ଦଳ ମାତ୍ର ୨୬ ରନରେ ନାଟକୀୟ ଢ଼ଙ୍କରେ ୭ଟି ୱିକେଟ ହରାଇ ବିପଦରେ ପଡିଥିଲା । ଜାସନ ହୋଲ୍ଡର ଦଳ ପକ୍ଷରୁ ସର୍ବାଧିକ ୩୮ ରନ କରିଥିଲେ । ସ୍ପିନର ମାର୍କ ୱାର୍ଟ ୧୨ ରନରେ ୩ଟି ଏବଂ ମାଇକେଲ ଲେସ୍କ ୧୫ ରନରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ସୁପର ୧୨କୁ ଉନ୍ନୀତ ହେବା ପାଇଁ ଏବେ ୱେଷ୍ଟଇଣ୍ଡିଜକୁ ଜିମ୍ବାୱେ ଓ ଆୟର୍ଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିବାକୁ ପଡିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.