ଧର୍ମେନ୍ଦ୍ର ଆତ୍ମହତ୍ୟା ଓ ଅର୍ଚ୍ଚନା କେଳେଙ୍କାରୀ ବନାମ ବିଜେଡିର ଶନି ଦଶା

ଆଗକୁ ୨୦୨୪ ନିର୍ବାଚନ ଥିବାବେଳେ ବିଜେଡିକୁ ଶନି ଦଶା ଲାଗିଛି । ଧାମନଗର ଉପନିର୍ବାଚନରେ ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ସ୍ବାଧିନ ପ୍ରାର୍ଥୀ ଭାବେ ଉଭା ହେବା ବିଜେଡି ନେତୃତ୍ବକୁ ଶକ୍ତ ଧକ୍କା ଲାଗିଛି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ନେଉଥିବାରୁ ତଥା ଦଳର ବହୁ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ କୋଣଠେସା କରି ରଖାଯାଇଥିବା ଫଳ ଏବେ ବିଜେଡ଼ିକୁ ଭୋଗିବାକୁ ପଡୁଛି । ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ପ୍ରସଙ୍ଗକୁ ଜୋରଦାର କରିଛି ବିଜେପି ।

ବିଜେପି ଅଭିଯୋଗ କରିଛି ଯେ, ବିଜେଡି ଦୀର୍ଘ ୨୨ବର୍ଷ ଶାସନରେ ରହି ଓଡ଼ିଶାକୁ ଭ୍ରଷ୍ଟାଚାର, ଦୁର୍ନୀତି, ଯୌନ କେଳେଙ୍କାରୀ, ଅପରାଧ, ମହିଳାଙ୍କୁ ଦୁଷ୍କର୍ମ, ଯୁବକଙ୍କ ବେରୋଜଗାରୀ ଓ ସମାଜକୁ ନଷ୍ଟ କରିବା ଭଳି ବିଭିନ୍ନ କାର୍ଯ୍ୟ ଭେଟି ଦେଇଛି । ନିମାପଡ଼ା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ଭୁବନେଶ୍ୱରର ଅର୍ଚ୍ଚନା ନାଗ କେଳେଙ୍କାରୀ ସମେତ ରାଜ୍ୟରେ ଘଟିଥିବା ଯୌନ କେଳେଙ୍କାରୀ, ଦୁର୍ନୀତି, ଟେଣ୍ଡର ଫିକ୍ସିଂ, ମନି ଲଣ୍ଡ୍ରିଂରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ ଓ ନେତା ସଂଶ୍ଳିଷ୍ଟ । ଓଡ଼ିଶାବାସୀ ଟିକସ ଦେଉଥିବା କୋଟି କୋଟି ଟଙ୍କା ବିଜେଡି ନେତାମାନଙ୍କ ବିଳାସବ୍ୟସନରେ ଲାଗୁଛି ।

ବିଜେପି ଦଳର ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତ ସାହୁଙ୍କ ପତ୍ନୀଙ୍କୁ ଡ୍ରଗ୍ସ ଦେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ତାଙ୍କ ସହ ଅନୈତିକ ସମ୍ପର୍କ ରଖିବା, ସ୍ୱର୍ଗତଃ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା କାରବାର ଓ ବିନ୍ଦାସ ଚିନୁ ସେହି ଭିଡିଓ ଦେଖାଇ ସ୍ୱର୍ଗତଃ ସାହୁଙ୍କୁ ବ୍ଲାକମେଲିଂ କରି ପ୍ରତିମାସ ହଜାର ହଜାର ଟଙ୍କା ନେଉଥିବା ଅନଲାଇନ ଟ୍ରାଜେକ୍ସନ୍ ଓ ଅଡିଓ ଭାଇରାଲ ହେଉଛି । ସ୍ୱର୍ଗତଃ ସାହୁଙ୍କ ଆତ୍ମହତ୍ୟାର ଯଥେଷ୍ଟ ପ୍ରମାଣ ଥାଇବି ଏଯାଏଁ ଓଡ଼ିଶା ପୁଲିସ ତଦନ୍ତ ନକରି ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଘଂଟ ଘୋଡ଼ାଉଛି । ରାଜ୍ୟ ସରକାର ମା’କୁ ସମ୍ମାନ ଓ ସାଢ଼େ ଚାରି କୋଟି ଓଡ଼ିଆ ମୋ ପରିବାର କଥା କହୁଛନ୍ତି । କିନ୍ତୁ ସେହି ପରିବାର ଭିତରେ ବା ବିଜେଡିରେ ଥାଇ ବି ମଧ୍ୟ ସ୍ୱର୍ଗତଃ ସାହୁଙ୍କ ଆତ୍ମହତ୍ୟାର ତଦନ୍ତ ଏଯାଏଁ କାହିଁକି ହୋଇନାହିଁ ରାଜ୍ୟ ସରକାର ଏହା ସ୍ପଷ୍ଟ କରନ୍ତୁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।

ସେହିପରି ଲେଡି ବ୍ଳାକମେଲର ଅର୍ଚ୍ଚନା ନାଗଙ୍କ ବାସଭବନରେ ବିଜେଡିର ୧୨ରୁ ଊର୍ଦ୍ଧ୍ୱ ମନ୍ତ୍ରୀ, ୩୦ରୁ ଅଧିକ ବିଧାୟକ ଯା’ଆସ କରିବା ସହ ସେଠାରେ କୋଟି କୋଟି ଟଙ୍କାର ଦେଣନେଣ କରାଯାଉଥିଲା । ଏପରିକି ସେଠାରେ ସରକାରୀ କର୍ମଚାରୀଙ୍କ ଟ୍ରାନ୍ସଫର୍‌, ପୋଷ୍ଟିଂ ଓ ଟେଣ୍ଡର ଫିକ୍ସିଂ ଭଳି ନିଷ୍ପତ୍ତି ନିଆଯାଉଥିଲା । ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ ପାଇଁ ଜଣକୁ ଗୋଟିଏ ବି ପାସ୍ ବା ଟିକେଟ୍ ମିଳୁନଥିବାବେଳେ ଅର୍ଚ୍ଚନା ନାଗଙ୍କୁ ୨୦୦ ପାସ୍ ମିଳିଥିଲା । ଏପରିକି ମ୍ୟାଚ ଦିନ ଅର୍ଚ୍ଚନା ନାଗଙ୍କୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଷ୍ଟାଡିୟମ ପର୍ଯ୍ୟନ୍ତ ଏସକଟ୍ କରି ନେଇଥିଲେ ବି ପୁଲିସ କାହିଁକି ଏହାର ତଦନ୍ତ କରୁନାହିଁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି । ରାଜ୍ୟ ସରକାର ଓ ଓଡ଼ିଶା ପୁଲିସ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟ ପଛରେ କେଉଁ ନେତା, ମନ୍ତ୍ରୀଙ୍କ ହାତ ରହିଛି, ତାହା ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ।

ଯେତେବେଳେ କୈାଣସି ଏକ ଘଟଣା ଭିତରେ ଶାସକ ଦଳର ନେତାମାନଙ୍କ ସଂପୃକ୍ତି ରହୁଛି, ସେହି ସମୟରେ ଅତି ଚତୁରତାର ସହ ତାହାକୁ ରଫାଦଫା କରିବାର ପ୍ରୟାସ କରାଯାଉଛି । ବିରୋଧୀ ଦଳମାନେ ହୋ ହାଲ୍ଲା କଲେ ମଧ୍ୟ ଶାସକଙ୍କ ଉପରେ ଏହାର କୈାଣସି ପ୍ରଭାବ ପଡ଼ୁନାହିଁ । ବହୁ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ କୋଣଠେସା କରି ରଖାଯାଇଥିବା ବେଳେ କିଛି ତୋଷମଦକାରୀ ଅନଭିଜ୍ଞ ନେତା ଏବେ ବିଜେଡିକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି । ତେବେ ଏସବୁ ଘଟଣାକ୍ରମ ଉପରେ ସାଧାରଣ ଜନତାଙ୍କ ନଜର ରହିଛି, ଯାହା ଆଗାମୀ ନିର୍ବାଚନରେ ପ୍ରତିଫଳିତ ହୋଇପାରେ । ତେଣୁ କେତେକ ହାତଗଣତି ନେତାଙ୍କୁ ନଦେଖି ନିତି ଆଦର୍ଶକୁ ପ୍ରଧାନ୍ୟ ଦେଲେ ବିଜେଡି ତିଷ୍ଠି ରହିବ ନହେଲେ ବିପର୍ଯ୍ୟୟକୁ ଏଡେଇ ଦେବା ଏତେ ସହଜ ନୁହେଁ ।

 ✍🏼  ସୁନୀଲ କୁମାର ଧଙ୍ଗଡାମାଝୀ 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.