ହାଲୋଓ୍ୱିନ୍ ପାର୍ଟି ବେଳେ ବଡ ଅଘଟଣ: ୧୨୦ ମୃତ, ଶତାଧିକ ଆହତ 

ଓଡ଼ିଆ ବାର୍ତ୍ତା/ ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ହାଲୋଓ୍ୱିନ୍ ପାର୍ଟି ବେଳେ ବଡ ଅଘଟଣ। ୧୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ହାଲୋଓ୍ୱିନ୍ ପାର୍ଟି ସମୟରେ ସିଓଲରେ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା । ଏକ ଲକ୍ଷରୁ ଅଧିକ ଲୋକ ଏହି ପର୍ବ ପାଳନ ବେଳେ ଏକତ୍ରିତ ହୋଇଥିଲେ । ଗହଳି ଏତେ ମାତ୍ରାରେ ହୋଇଥିଲା ଯେ ଲୋକେ ଭିଡ ଭିତରୁ ବାହାରିବାକୁ ପ୍ରୟାସ କରିବା ସମୟରେ ଦଳଚକଟା ହୋଇଥିଲା । ଆଉ ପରବର୍ତୀ ସମୟରେ ଅନେକ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ପରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଏକ ବିବୃତ୍ତି ଜାରି କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି କିଭଳି ଲୋକମାନେ ରାସ୍ତାରେ ପଡ଼ିଛନ୍ତି । ଏବଂ ସେମାନଙ୍କୁ ସି.ପି.ଆର ଦିଆଯାଉଛି ।

କରୋନା କଟକଣା ପରେ ଏହି ପାର୍ଟି ପ୍ରାୟ ଦୁଇ ବର୍ଷ ପରେ ପାଳନ ହେଉଛି । ତେଣୁ ଲୋକଙ୍କ ମଧ୍ୟରେ ଏହି ପାର୍ଟିକୁ ନେଇ ଅଧିକ ଉତ୍ସାହ ଥିଲା । ଏଥିପାଇଁ ଶନିବାର ରାତିରେ ଇଟାୱନ୍  ନାମକ ସ୍ଥାନରେ ଲୋକେ ଏକାଠି ହୋଇଥିଲେ। ଅକ୍ଚୋବର ୩୧ରେ ଏହି ପାର୍ଟି ଶେଷ ହୋଇଥାନ୍ତା । ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଅନୁମାନ କରାଯାଉଛି ଯେ ହାମିଲଟନ୍ ହୋଟେଲ ନିକଟରେ ଥିବା ଓଣଓସାରିଆ ଗଳିରେ ଭିଡ଼ ବଢିଥିଲା। ଏହାପରେ ଆଗକୁ ଯିବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଜଣେ ସେଲିବ୍ରିଟି ଆସିବେ ବୋଲି ସେଠାରେ ଘୋଷଣା ହୋଇଥିଲା । ଏହାପରେ ଲୋକେ ସେହି ସେଲିବ୍ରିଟିଙ୍କୁ ଦେଖିବାକୁ ଭିଡ ଜମାଇଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ନେବା ପାଇଁ ୪୦୦ରୁ ଅଧିକ ଜରୁରୀକାଳୀନ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଏହି ସମସ୍ତ ଲୋକଙ୍କୁ ଆହତଙ୍କ ଚିକିତ୍ସା ପାଇଁ ନିୟୋଜିତ କରାଯାଇଛି। ତେବେ ସରକାରୀ ମୃତ୍ୟୁ ସଂଖ୍ୟା କେତେ ରହିଛି ସେ ନେଇ ସ୍ପଷ୍ଟ ହୋଇନି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.