ସ୍ବେଛାସେବୀଙ୍କ ହସ୍ତକ୍ଷେପ ପରେ ଦିବ୍ୟାଙ୍ଗ ଦେବରାଜ ଭୋଇ ପାଇଲେ ଟ୍ରାଇ ସାଇକଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଗର୍ଗାବ ଗାଁର ୪୦ ବର୍ଷିୟ ଦିବ୍ୟାଙ୍ଗ ଦେବରାଜ ଭୋଇ ଅତି କଷ୍ଟକର ଜୀବନ ବଞ୍ଚୁଛନ୍ତି । ଜନ୍ମରୁ ଗୋଡ ଅକାମି ହେତୁ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ବହୁତ କଷ୍ଟକର ହୋଇପଡେ । ଶୌଚାଳୟ ଯିବା ଠାରୁ ସ୍ନାନ ପ୍ରଯ୍ୟନ୍ତ ସେ ଗୁରୁଣ୍ଡି ଗୁରୁଣ୍ଡି ଯାଇଥାନ୍ତି । ଟ୍ରାଇ ସାଇକେଲ ଟିଏ ପାଇଁ ସରକାରୀ ବାବୁ ଓ ଜନ ପ୍ରତିନିଧିଙ୍କୁ କହି କହି ଥକି ଯାଇଥିଲେ କିନ୍ତୁ କେହି ତାଙ୍କ କଥାକୁ କର୍ଣ୍ଣପାତ କରି ନଥିଲେ । ପିତା ରାମପ୍ରସାଦ ଭୋଇ (୮୦) ଓ ମାତା କୁନ୍ତୀ ଭୋଇ (୭୫) ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ପୁଅ ଦେବରାଜଙ୍କ ଦେଖାଶୁଣା କରିଥାନ୍ତି । ଏହି ସମସ୍ୟା ବିଷୟରେ ଚେରଗାଁର ପ୍ରକାଶ ନାଏକ ନାମକ ଜଣେ ଯୁବକ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ଏହି ବିଷୟରେ ଜାଣିବା ପରେ ଶ୍ରୀ ରଣା ଦେବରାଜଙ୍କ ସମସ୍ତ ଡକ୍ୟୁମେଣ୍ଟ ସଂଗ୍ରହ କରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ମଦନଜିତ ହୋତାଙ୍କୁ ଜଣେଇ ଏକ ଟ୍ରାଇ ସାଇକଲ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ହୋତାଙ୍କ ନିର୍ଦେଶ କ୍ରମେ ଗୋଲାମୁଣ୍ଡା ବିଏସଏସଓଙ୍କ ଜରିଆରେ ଦେବରାଜଙ୍କୁ ଏକ ଟ୍ରାଇ ସାଇକଲ ପ୍ରଦାନ କରିଛନ୍ତି । ଦେବରାଜ ଟ୍ରାଇ ସାଇକଲ ପାଇବାପରେ ଖୁସି ହୋଇ ଗାଁ ରାସ୍ତାରେ ବୁଲୁଛନ୍ତି । ଏଥିପାଇଁ ଗ୍ରାମବାସୀମାନେ ସମାଜସେବୀ ଯଶୋବନ୍ତ ରଣା, ପ୍ରକାଶ ନାଏକ, ଶଙ୍କର ଖୁରା, କହେଁଇ ତାଣ୍ଡି, ଡ଼ିଏସଏସ ମଦନଜିତ ହୋତା, ଅରୁଣ ମହାପାତ୍ର ଓ ଗୋଲାମୁଣ୍ଡା ବିଏସଏସଓଙ୍କୁ ଅଶେଷ ସାଧୁବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.