ପଞ୍ଚୁକରେ ରାମ କଥା: ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଶ୍ରୀରାମ ଚରିତ ମାନସ କଥାମୃତର ପଞ୍ଚମ ଦିବସ ‘କୈବର୍ତ୍ତ ପ୍ରସଙ୍ଗ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ବିଶିଷ୍ଟ ପ୍ରବଚକ ତଥା ଆଧ୍ୟାତ୍ମିକ ଗୁରୁ ବାବା ବଳିଆଙ୍କ ସୁଶିଷ୍ୟ ଆଶିର୍ବାଦଜୀ ମହାରାଜଙ୍କ ଦ୍ୱାରା ଧର୍ମମାସ କାର୍ତ୍ତିକରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚାଲିଛି ଶ୍ରୀରାମ ଚରିତ ମାନସ କଥାମୃତ । କଥାବାଚକ ଆଶିର୍ବାଦଜୀ ମହାରାଜ ଉପସ୍ଥିତ ଶ୍ରଦ୍ଧାଳୁ ଓ ଭକ୍ତ ମଣ୍ଡଳୀଙ୍କୁ ଶୁଣାଇଛନ୍ତି ପରମ ପବିତ୍ର ହରି କଥା । ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସମୟରୁ ମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ଆୟୋଜିତ ହୋଇ ଆସୁଥିବା ବେଳେ ମନ୍ଦିର ପ୍ରାଙ୍ଗଣରେ ଦୀର୍ଘ ବର୍ଷରୁ ଚାଲି ଆସୁଛି ହରି କଥାମୃତ । ଡ଼ଃ ଅଗ୍ରୱାଲଙ୍କ ଆବର୍ତ୍ତମାନ ପରେ ମଧ୍ୟ ଏହି ଧାରା ଜାରି ରହିଛି । ଏହି କ୍ରମରେ ଏବର୍ଷ ରାମ ଚରିତ ମାନସ କଥାମୃତ ପରିବେଷଣ କରୁଛନ୍ତି ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ପ୍ରଚାରକ ତଥା କଥାବାଚକ ଆଶିର୍ବାଦଜୀ ମହାରାଜ ।

ଆଜି ପଞ୍ଚମ ଦିବସରେ ‘କୈବର୍ତ୍ତ ପ୍ରସଙ୍ଗ’ ଅତି ସୁନ୍ଦର ଭାବରେ ପରିବେଷିତ ହୋଇଛି । ରାମ କଥା କ୍ରମରେ ଧର୍ମ କର୍ମ, ପିତୃଭକ୍ତ, ମାତୃ ସ୍ନେହ, ପତିସେବା, ଗୁରୁ ଗୁରୁଜନ ଓ ଅତିଥି ସେବା, ଉତ୍ତମ ଗୃହସ୍ଥି ଓ ମନୁଷ୍ୟ ହେବାର ସୁତ୍ର, ଜ୍ଞାନ ଓ ଭକ୍ତି ଯୋଗ ଆଦି ବିଭିନ୍ନ ପ୍ରସଙ୍ଗକୁ ସହଜ ସରଳ ଭାବରେ ଉପସ୍ଥାପନ କରୁଛନ୍ତି ଆଶିର୍ବାଦଜୀ ମହାରାଜ । ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଶିବ ପାର୍ବତୀ ସମ୍ବାଦ, ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମୋତ୍ସବ, ତୃତୀୟ ଦିବସରେ ଶ୍ରୀରାମ ଜାନକୀ ବିବାହ, ଚତୁର୍ଥ ଦିବସରେ ଶ୍ରୀରାମଙ୍କ ବନବାସ ଓ ଆଜି ସୋମବାର ପଞ୍ଚମ ଦିବସରେ କୈବର୍ତ୍ତ ପ୍ରସଙ୍ଗ ପରିବେଷିତ ହୋଇଛି । ଏହାପରେ ମଙ୍ଗଳବାର ଷଷ୍ଠ ଦିବସରେ ସୁନ୍ଦର କାଣ୍ଡ, ଏବଂ ନଭେମ୍ବର ୯ ବୁଧବାର ଶେଷ ଦିବସରେ ଶ୍ରୀ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଭକ୍ତଙ୍କୁ ପ୍ରବଚନ ମାଧ୍ୟମରେ ଶୁଣାଇବେ କଥାବାଚକ ଆଶିର୍ବାଦଜୀ ମହାରାଜ । ଏହି ଆଧ୍ୟାତ୍ମିକ ପ୍ରବଚନର କର୍ତ୍ତା ଭାବେ ଶ୍ୟାମସୁନ୍ଦର ଶର୍ମା ଓ ତାଙ୍କ ଧର୍ମପତ୍ନୀ ସାବିତ୍ରୀ ଶର୍ମା ଦାଇତ୍ୱ ନିର୍ବାହ କରୁଥିବାବେଳେ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର କମିଟିର ସୁନୀଲ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ପ୍ରବଚନ ଶୁଣିବା ପାଇଁ ରୁପ୍ରାରୋଡ ବସ୍ତି ସମେତ ଆଖପାଖ ଗ୍ରାମବାସୀମାନେ ସମବେତ ହେଉଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.