ସପ୍ତାହବ୍ୟାପୀ ‘ମହାବୀର ମହୋତ୍ସବ-୨୦୨୨’ ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ):  ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣାର ୫୮ତମ ବାର୍ଷିକ ଉତ୍ସବ ତଥା ‘ମହାବୀର ମହୋତ୍ସବ-୨୦୨୨’ ଉଦ୍‌ଯାପିତ ହୋଇଯାଇଛି । ସପ୍ତାହବ୍ୟାପୀ ଚାଲିଥିବା ଏହି ମହୋତ୍ସବର ଉଦଯାପନୀ ଦିବସରେ ସକାଳ ସମୟରେ ଚାଚା ନେହେରୁଙ୍କର ଜୟନ୍ତୀ ଉପଲକ୍ଷେ ‘ଶିଶୁ ମହୋତ୍ସବ’ ଆୟୋଜିତ ହୋଇଥିଲା । ଏହାପରେ ଦିବା ୩ ଘଣ୍ଟା ସମୟରେ ‘ମହାବୀର ଶିଶୁଶ୍ରୀ’ ଅନୁଷ୍ଠିତ ହୋଇଥିଲା । ସାନ୍ଧ୍ୟ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ  ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା  ଯୋଗଦାନ କରିଥିଲେ । ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ବିଶିଷ୍ଟ କବି ଏବଂ କଥାକାର ସରୋଜ ବଳ ଏବଂ ମହାବୀର ସମ୍ମାନ ବିଶିଷ୍ଟ ଶିକ୍ଷାବିତ୍ ଏବଂ ଗୀତିକାର ନାରାୟଣ ପ୍ରସାଦ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । ଏତଦ୍‌ବ୍ୟତୀତ ରାଜ୍ୟସ୍ତରୀୟ ନାଟ୍ୟରଶ୍ମୀ ପ୍ରଫୁଲ୍ଲ ରଥ ନାଟ୍ୟ ସମ୍ମାନ ରାମାଶିଷ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା । କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ ଯୁବ ପର୍ବତାରୋହୀ ତଥା ସାହିତ୍ୟିକା ଲିପ୍‌ସାମୟୀ ଦୁବେଙ୍କୁ ପ୍ରଦାନ କରାଯାଇଥିଲା । ପରିଶେଷରେ ସୁଗୃହିଣୀ ସମ୍ମାନ ବିଶିଷ୍ଟ ସାହିତ୍ୟିକା ଯାଜ୍ଞସେନୀ ସାହାଙ୍କୁ ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ମନୋଜ୍ଞ ପରିବେଶରେ ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ପ୍ରାରମ୍ଭିକ ସୂଚନା ସହ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଉପସଭାପତି ଶାନ୍ତନୁ କୁମାର ବେହେରା ସ୍ଵାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂଯୁକ୍ତ ସାଧାରଣ ସମ୍ପାଦକ ସଂଜୀବ କୁମାର ସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଭୁବନେଶ୍ବରରୁ ଆସିଥିବା ‘ଗୋଟିପୁଅ’ ନୃତ୍ୟ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସମ୍ବଲପୁରୀ ନୃତ୍ୟ, ପ୍ରତିଭା ଅନୁଷ୍ଠାନର ସିଙ୍ଗାରୀ ନୃତ୍ୟ, ନୁପୁର ଅନୁଷ୍ଠାନର ଶାସ୍ତ୍ରୀୟ ନୃତ୍ୟ ଏବଂ ନୃତ୍ୟବାଟିକା ପରିବେଷିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.