କେସିଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଚାରି ଚକିଆ ଗାଡ଼ି ଚୋରି !

ତୁର୍ଲାଖମନ ଗାଁରୁ ବିଳମ୍ବିତ ରାତିରେ ଘର ସାମ୍ନାରୁ ବୋଲେରୋ ପ୍ଲସ ଗାଡ଼ି ଚୋରି ଅଭିଯୋଗ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପଲମ ଫାଣ୍ଡି ଅନ୍ତର୍ଗତ ତୁର୍ଲାଖମନ ଗ୍ରାମରୁ ଗତ ସୋମବାର ବିଳମ୍ବିତ ରାତିରେ ଓଡି ୦୮ ୮୭୮୯ ନମ୍ବର ବିଶିଷ୍ଟ ଏକ ବୋଲେରୋ ପ୍ଲସ ଗାଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରି ହୋଇଥିବା ଗାଡିର ମାଲିକ ମନୋଜ ସାହୁ ଏନେଇ କେସିଙ୍ଗା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଖବର ପାଇ ତୁର୍ଲାଖମନ ଗାଁକୁ ଯାଇ ତଦନ୍ତ କରିଥିବା ଜଣାପଡିଛି । ଅମାଠ-ମ.ରାମପୁରକୁ ସଂଯୋଗ କରିଥିବା ରାସ୍ତାର ତୁର୍ଲାଖମନ ଗାଁକୁ ଯିବା ଛକରେ ଥିବା ଏକ ଘରର  ସିସିଟିଭି ଫୁଟେଜ କୁ ଆଧାର କରି ପୁଲିସ ତଦନ୍ତ କରିଥିବା ବେଳେ ରାତି ୧ ଟା ୫୫ ମିନିଟ୍ ସମୟରେ ଏକ ବୋଲେରୋ ଗାଡ଼ି ତୁର୍ଲାଖମନ ଗାଁ ଆଡକୁ ପଶି ୧୦ ମିନିଟ୍ ର ବ୍ୟବଧାନ ପରେ  ୨ ଟି ଗାଡ଼ି ତୁର୍ଲାଖମନ ଗାଁ ପଟୁ  ଫେରିଥିବା ନେଇ ସିସିଟିଭି ଫୁଟେଜରୁ ଜଣାପଡିଛି ବୋଲି ସୂଚନା ମିଳିଛି । ତେବେ ଏନେଇ କେସିଙ୍ଗା ଆଦର୍ଶ ଥାନାର ଅତିରିକ୍ତ ଆଇଆଇସି ମମତା ହେମ୍ବ୍ରମଙ୍କୁ ପଚାରିବା ପାଇଁ ଫୋନ୍ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନଥିବା ବେଳେ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପଟ୍ଟନାୟକଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି । ଖବର ସଂଗ୍ରହରୁ ପ୍ରକାଶ ଯେ, ତୁର୍ଲାଖମନ ଗାଁର ମନୋଜ ସାହୁ ଭୋର୍ ସମୟରୁ ବାହାରକୁ ଯିବା ପାଇଁ ଗାଡ଼ିକୁ ନିଜ ଘର ସମ୍ମୁଖରେ ଥିବା ଗେଟ୍ ବାହାରେ ରଖିଥିଲେ । ରାତି ୩ ଟା ସମୟରେ ଗାଡ଼ି ମାଲିକ ମନୋଜ ଗାଡ଼ି ସେହି ସ୍ଥାନରେ ନଥିବା ନେଇ ଦେଖିବାକୁ ପାଇଥିଲେ । ଯାହାକି ରାତି ୨ ଟା ସମୟରେ ସେଠାରୁ ଗାଡ଼ି ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । 
ଏଠାରେ ସୂଚନାଯୋଗ୍ୟ ଯେ, କେସିଙ୍ଗା ଥାନା ଅଞ୍ଚଳରେ ଗତ କିଛି ମାସ ହେଲା ଚାରି ଚକିଆ ଗାଡ଼ି ଚୋରି ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହେଉଛି । ଯାହାକି ଚୋର ମାନଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇପାରୁନଥିବା ଯୋଗୁଁ   ଚୋରି ସଂଖ୍ୟା ବୃଦ୍ଧି ପାଉଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଗତ ୧/୯/୨୦୨୨ ରିଖ ବିଳମ୍ବିତ ରାତିରେ କେସିଙ୍ଗା ସହରର ଜାତୀୟ ରାଜପଥ କଡ଼ରେ ଥିବା ମୁନ୍ନା ଗ୍ୟାରେଜ ପାର୍କିଂରେ ଠିଆ ହୋଇଥିବା ଅନଓ୍ବର ହୁସେନଙ୍କ ଟ୍ରକକୁ ଦୁର୍ବୃତ୍ତ ଚୋରି କରି ନେବା ସମୟରେ ଛେନା ଗାଁ ନିକଟ ପୋଲ ପାଖରେ ଦୁର୍ଘଟଣା ହୋଇଥିଲା ଫଳରେ ସେଠାରେ ଟ୍ରକକୁ ଛାଡି ଦୁର୍ବୃତ୍ତ ଫେରାର ହୋଇଥିଲେ । ଏହି ବିଷୟକୁ ନେଇ ଟ୍ରକ ମାଲିକ୍ ଶ୍ରୀ ହୁସେନ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କୁ ପୁଲିସ ଧରିବାରେ ସଫଳ ହୋଇପାରିନଥିଲା । ଏହି ଭଳି ଆହୁରି ଅନେକ ଗାଡ଼ି ଚୋରି ବିଷୟକୁ ନେଇ କେସିଙ୍ଗା ଥାନା ପୁଲିସ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଦୁର୍ବୃତ୍ତଙ୍କୁ ଠାବ କରିବାରେ କେତେ ସଫଳ ହୋଇଛି ତାହା ଜଣାପଡି ନାହିଁ ।   ତେବେ ଚୋରି କରିବା ପାଇଁ ଚାରି ଚକିଆ ଗାଡ଼ି ଗୁଡ଼ିକ ଉପରେ ଦୁର୍ବୁତ୍ତଙ୍କ ଟାର୍ଗେଟ ରହୁଥିବା ଯୋଗୁଁ ଗାଡ଼ି ମାଲିକ ମାନଙ୍କ ମନରେ  ଚିନ୍ତାରେ ବିଷୟ ହୋଇଛି ।‌‌ ଅପରପକ୍ଷରେ ଚାରି ଚକିଆ ଗାଡ଼ି ଗୁଡ଼ିକ ଚୋରି ହେଉଥିବା ଅଭିଯୋଗକୁ ନେଇ ସ୍ଥାନୀୟ ପୁଲିସ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବାରେ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.