ଲାଞ୍ଜିଗଡ଼ରେ ITI ସ୍ଥାପନ ପାଇଁ ମିଳିଲାନି ସବୁଜ ସଙ୍କେତ: ପୁଣି ନିରାଶ ହେଲେ ବ୍ଲକବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଓ ଧର୍ମଗଡ଼ଠାରେ ଆଇଟିଆଇ ସ୍ଥାପନ ପାଇଁ ଘୋଷଣା କରାଯାଇଛି । ତେବେ ଦୀର୍ଘ ଦିନ ହେଲା ଶିଳ୍ପାଞ୍ଚଳ ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନ ପାଇଁ ଦାବି ହୋଇ ଆସୁଥିବାବେଳେ ତାଲିକାରୁ ଲାଞ୍ଜିଗଡ଼ ବାଦ୍ ପଡ଼ିଛି । ଏପରିକି ସରକାରଙ୍କ ଘୋଷଣା ପରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀ ନିରାଶ ହୋଇପଡ଼ିଛନ୍ତି । ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ଠାରେ ଜିଲ୍ଲାର ଏକମାତ୍ର ବୃହତ୍ତ ଶିଳ୍ପ ସଂସ୍ଥା ବେଦାନ୍ତ ଲିମିଟେଡ ସ୍ଥାପିତ ହୋଇଛି । ଏଠାରେ ଅଧିକାଂଶ ଟେକ୍ନିକାଲ ପଦବୀର ଆବଶ୍ୟକତା ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଟେକ୍ନିକାଲ ଶିକ୍ଷା ପାଇଁ ଏକ ଆଇଟିଆଇ କିମ୍ବା ପଲିଟେକ୍ନିକର ଆବଶ୍ୟକତା ରହିଛି । ଯଦ୍ବାରା ଲାଞ୍ଜିଗଡ଼ ଅଞ୍ଚଳର ଛାତ୍ରଛାତ୍ରୀମାନେ ଆଇଟିଆଇ କିମ୍ବା ପଲି ଟେକ୍ନିକରେ ପାଠ ପଢ଼ି ସ୍ଥାନୀୟ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇପାରନ୍ତେ । ଏହାକୁ ନେଇ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି । ତେବେ ରାଜ୍ୟ ସରକାର ଜିଲ୍ଲାର ଜୁନାଗଡ଼ ଓ ଧର୍ମଗଡ଼ଠାରେ ଆଇଟିଆଇ ସ୍ଥାପନ ପାଇଁ ଘୋଷଣା କରିଥିବାବେଳେ ସବୁଠାରୁ ଅଧିକ ଦାବିଦାର ଥିବା ଲାଞ୍ଜିଗଡ଼ ବ୍ଲକକୁ ଭୁଲିଯାଇଛନ୍ତି । ଏଇଭଳି ସରକାରୀ ଉଦାସୀନତା ଯୋଗୁଁ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଯୁବକ ଯୁବତୀମାନେ ବେକାର ରହିବାକୁ, କାମ ମିଳୁନଥିବାରୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି । ସେଠାରେ ବିଭିନ୍ନ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହୋଇ ସମୟ ସମୟରେ ଗୋଡ଼ ହାତ ହରାଇ କିମ୍ବା ଜୀବନ ହରାଇ ଶବ ହୋଇ ଫେରୁଛନ୍ତି । ଏଣୁ ରାଜ୍ୟ ସରକାର ନିଜ ନିଷ୍ପତ୍ତିର ପୁନଃବିଚାର କରିବା ସହିତ ଜୁନାଗଡ଼, ଧର୍ମଗଡ଼ ଭଳି ଲାଞ୍ଜିଗଡ଼ରେ ମଧ୍ୟ ଆଇଟିଆଇ ସ୍ଥାପନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଦାବି ହୋଇଛି । ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନ ନେଇ ଦୀର୍ଘ ଦିନ ହେଲା ଲଢ଼େଇ ଜାରି ରଖିଥିବା ଯୁବ ସମାଜସେବୀ ଓ ସାମ୍ବାଦିକ ସୁଶୀଲ କୁମାର ବାଗ ସରକାରଙ୍କ ନିଷ୍ପତ୍ତି ଆମକୁ ନିରାଶ କରିଛି ସତ କିନ୍ତୁ ଆମେ ଆଶା ହରାଇନୁ ବୋଲି କହିବା ସହିତ ଏ ସଂପର୍କରେ ସେ ରାଜ୍ୟ ସରକାରଙ୍କୁ ଟ୍ବିଟ୍ ଯୋଗେ ଦ୍ରୁଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଛନ୍ତି । ଏହାଦ୍ବାରା ଲାଞ୍ଜିଗଡ଼ ବ୍ଲକର ଶହଶହ ଯୁବକ ଯୁବତୀ ଟେକ୍ନିକାଲ ପାଠ ପଢ଼ିବା ସହିତ ନିଯୁକ୍ତି କିମ୍ବା ଆତ୍ମ ନିଯୁକ୍ତି ପାଇପାରିବେ ବୋଲି ଶ୍ରୀ ବାଗ ଦର୍ଶାଇଛନ୍ତି । ସେହିପରି ଯୁବନେତା ଚାଞ୍ଚେର ମାଝୀ, ପ୍ରଦୀପ ମାଝୀ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ପ୍ରମୁଖ ଲାଞ୍ଜିଗଡ଼ ଅଞ୍ଚଳରେ ଆଇଟିଆଇ ସ୍ଥାପନ ପାଇଁ ଆଗାମୀ ଦିନରେ ଦାବି ତୀବ୍ର କରାଯିବ ବୋଲି କହିଛନ୍ତି ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.