ନବ ଉତ୍କଳର ନିର୍ମାତା ଡ଼ଃ ହରେକୃଷ୍ଣ ମହତାବ

ଭାରତବର୍ଷର ସ୍ବାଧିନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମତ୍ନୀ, ପୂର୍ବତନ କେନ୍ଦ୍ରମତ୍ନୀ, ବମ୍ବେର ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ଲେଖକ, ସାରସ୍ବତ ସାଧକ, ନବ ଉତ୍କଳ ନିର୍ମାଣ ର ପୁରୋଧା କୀର୍ତ୍ତୀମାନ ଡ଼ଃ ହରେକୃଷ୍ଣ ମହତାବ। ଡ଼ଃ ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ। ତାଙ୍କର ମାଟ୍ରିକ ପଢ଼ା ଭଦ୍ରକ ହାଇସ୍କୁଲରେ ସମାପ୍ତ ହୋଇଥିଲା, ତାପରେ କଟକର ରେଭେନ୍ସା କଲେଜରେ ପାଠ ପଢ଼ିଥିଲେ। ୧୯୨୧ ମସିହାରେ ପାଠ ପଢ଼ା ଛାଡ଼ି ଭାରତର ସ୍ବାଧିନତା ସଂଗ୍ରାମରେ ନିଜକୁ ନିୟୋଜିତ କରିଥିଲେ। ୧୯୨୩-୨୪ରେ ଡ଼ଃ ମହତାବ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ।

Omkar Vasthu
Omkar Vasthu

୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିିଥିଲେ। ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସରେ ସଭାପତି ଭାବେ ଯୋଗଦାନ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମତ୍ନୀ ହୋଇଥିଲେ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୬୨ରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। କନିକା ଓ ରଣପୁର ପ୍ରଜାମେଳୀ ଓ ଓଡ଼ିଶାର ଗଡ଼ଜାତ ମିଶ୍ରଣରେ ଡ଼ଃ ହରେକୃଷ୍ଣ ମହତାବଙ୍କର ପ୍ରମୁଖ ଭୂମିକା ରହିଥିଲା।

Pearl dental clinic
Near Ashish Medical Store, Bhawanipatna

ଓଡିଶା ଓ ଓଡ଼ିଶାବାସୀଙ୍କୁ ସର୍ବତ୍ର ଭାବେ ସୁରକ୍ଷିତ ରଖିବା ପାଇଁ ହୀରାକୁଦ ବନ୍ଧ ଥିଲା ତାଙ୍କର ଏକ ଅଭିନବ ପରିକଳ୍ପନା। ଓଡ଼ିଶାର ଯୁବଶକ୍ତିକୁ ଉପଯୋଗ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା ଭଳି ପ୍ରକଳ୍ପର ପ୍ରତିଷ୍ଠା କରିଥିଲେ ।ଡ଼ୁଡ଼ୁମା ଜଳ ବିଦ୍ୟୁତ୍ ପ୍ରକଳ୍ପ, ଆସ୍କାର ଚ଼ିନି କଳ, ପାରାଦୀପ ବନ୍ଦର, ଚ଼ୌଦାର ଲୁଗା କାରଖାନା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ଭୂବନେଶ୍ବର ନୂଆ ରାଜଧାନୀ ପ୍ରତିଷ୍ଠା, ବିଧାନ ସୌଧ, ସଚ଼ିବାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଆଦି ପ୍ରତିଷ୍ଠା ରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ପ୍ରତିଷ୍ଠାତା ସଭାପତି ଥିଲେ।

Udyog Nursery
Udyogi Nursery

୧୯୨୩ ମସିହାରେ ସେ ସାପ୍ତହିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ, ଯାହା ଏବେ ଦୈନିକ ପ୍ରକାଶ ପାଉଛି । ତାଙ୍କ ଦ୍ୱାରା ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠା ଓ “ବିଷୁବ ମିଳନ” ଆୟୋଜନ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ନେଇଛି ।ସେ ଅନେକ ଉପନ୍ୟାସ ରଚ଼ନା କରିଥିଲେ ସେଗୁଡ଼ିକ ହେଲା ନୂତନ ଧର୍ମ, ଟାଉଟର, ଅବ୍ୟାପାର, ପ୍ରତିଭା-୧୯୪୬, ତୃତୀୟ ପର୍ବ।
ତାଙ୍କ ଦ୍ବାରା ଲିଖିତ କବିତା ସଂକଳନ ହେଲା ଚାରି ଚକ୍ଷୁ, ପଲାସୀ, ଅବସାନେ, ଶେଷ ଅଶୃ, ନନ୍ଦିକା, ଲଳିତା, ରାଜାରାଣୀ, ଛାୟାପତର ଯାତ୍ରୀ ଆଦି। ଡ଼ଃ ହରେକୃଷ୍ଣ ମହତାବଙ୍କ ଲିଖିତ ଓଡ଼ିଶା ଇତିହାସ, ଆତ୍ମଦାନ, ରୂପାନ୍ତର, ଇତିହାସର ପରିହାସ, ପ୍ରବଚନ, ଗୁପ୍ତ ପ୍ରଣୟ, ଭାରତୀୟ ସଂସ୍କୃତି, ନେତା ଓ ଜନତା, ଦଶ ବର୍ଷର ଓଡ଼ିଶା, ଗାନ୍ଧୀଜୀ ଓ ଓଡ଼ିଶା, ଆରବ ସାଗରରୁ ଚିଲିକା, ଗାଁ ମଜଲିସ ଓ ଆଧୁନିକତା ଇତ୍ୟାଦି। ତାଙ୍କ ଆତ୍ମଜୀବନୀ ହେଲା “ସାଧନାର ପଥେ”। ଡ଼ଃ ହରେକୃଷ୍ଣ ମହତାବ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଂଗୀତ ନାଟକ ଏକାଡେମୀର ସଭାପତି ଭାବେ ଅନେକ ଥର ନିର୍ବାଚିତ ହୋଇଥିଲେ । ତାଙ୍କୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା, ତାହା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି.ଲିଟ. ଓ ଆଇନରେ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟଟେରେଟ ଉପାଧି ମିଳିଥିଲା ।

ଡ଼. ହରେକୃଷ୍ଣ ମହତାବ “ଓଡ଼ିଶା ଇତିହାସ” ପୁସ୍ତକ ଲେଖିଥିଲେ। ଓଡ଼ିଶାର ପରାକ୍ରମୀ ଯୋଦ୍ଧାଙ୍କ ତ୍ୟାଗ, ତପସ୍ୟା, ବୀରତ୍ୱର ଗାଥା, ବୁଦ୍ଧିମାନ ସମାଜ ଉପରେ ଆଧାରିତ ଏହି ପୁସ୍ତକରେ କଳିଙ୍ଗ ଯୁଦ୍ଧ, ଖାରବେଳ ଶାସନ, ୧୮୧୭ର ପାଇକ ବିଦ୍ରୋହ, ସ୍ୱାଧୀନତା ସଂଗ୍ରାମ ଏବଂ ଆଧୁନିକ ଓଡ଼ିଶା ପାଇଁ ତାଙ୍କର ଥିବା କଳ୍ପନା ଇତ୍ୟାଦି ବର୍ଣ୍ଣିତ। ସେହି ମହାନ୍ ଜନନାୟକଙ୍କର ବିୟୋଗ ୨ ଜାନୁୟାରୀ ୧୯୮୭ ମସିହାରେ ହୋଇଥିଲା। ଆଜି ତାଙ୍କର ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ।

ଲେଖକ✍🏼 ବିଶ୍ବବିଜୟୀ ଦାଶ

ଯୁବ ସ୍ତମ୍ଭକାର
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ: ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.