ନିଆରା ଗାଁ: ୧୯୮୩ରୁ ଗାଁରେ ଦଳ ଓ ପ୍ରଚାର ଉପରେ ଲାଗିଛି ରୋକ୍

ଓଡ଼ିଆ ବାର୍ତ୍ତା/ ଅହମଦାବାଦ: ଗୁଜରାଟରେ ଏପରି ଗାଁ ରହିଛି ଯେଉଁଠି ୧୯୮୩ ପରେ ହେଉନି ନିର୍ବାଚନୀ ପ୍ରଚାର । କୌଣସି ରାଜନୈତିକ ଦଳ ଓ ଦଳୀୟ ପ୍ରଚାରକୁ ବ୍ୟାନ କରାଯାଇଛି ଏଠାରେ। ଏମିତିକି ଭୋଟ୍ ପାଇଁ ହୋଇଛି କଡ଼ା ନିୟମ । ରାଜକୋଟସ୍ଥିତ ଏହି ଗାଁର ନାଁ ହେଉଛି ସମାଧିୟାଲା । ଯଦି କେହି ଭୋଟ୍ ନଦିଅନ୍ତି, ତେବେ ତାଙ୍କ ଉପରେ ୫୧ଟଙ୍କା ଜରିମାନା କରାଯାଏ । ତେଣୁ ସମସ୍ତେ ମତଦାନ କରନ୍ତି ।  ଏହି ନିୟମ ପାଇଁ ସମାଧିୟାଲା ଆଦର୍ଶ ଗାଁର ମାନ୍ୟତା ହାସଲ କରିପାରିଛି । ଗାଁ ସରପଞ୍ଚ କୁହନ୍ତି, ରାଜନୈତିକ ଦଳ ଗାଁକୁ ଆସିଲେ ଗାଁରେ ଜାତିବାଦ ସୃଷ୍ଟି ହେବ । ଗାଁର ନିୟମ ପାଳନ ପାଇଁ ସରପଞ୍ଚ ଏକ ଲମ୍ୱା ତାଲିକାର ବୋର୍ଡ ଲଗାଇଛନ୍ତି ।୧୯୮୩ରୁ ଗାଁରେ ପାଳନ ହୋଇଆସୁଛି ନିୟମ । ଗାଁ ଟି ପୂରା ସ୍ୱଚ୍ଛ ଓ ନିର୍ମଳ । ସଫାସୁତୁରା ପରିବେଶ । ସମସ୍ତ ରାସ୍ତା କଂକ୍ରିଟ୍ । ଗାଁରେ ସିସିଟିଭି କ୍ୟାମେରା ବି ଲାଗିଛି । ଗାଁକୁ ରାଷ୍ଟ୍ରପତି ପୁରସ୍କାର ବି ମିଳିଛି । ଗାଁରେ ଜାତିବାଦକୁ ବାରଣ କରାଯାଇଛି । ଅଳିଆ ଆବର୍ଜନା ଏଣେତେଣେ ଫୋପାଡିବା, ପାଣି ପବନ ପ୍ରଦୂଷଣ କରିବା ମନା । ଡିଜେ ବଜାଇଲେ ୫୧ ଟଙ୍କା ଜରିମାନା ଦେବାକୁ ପଡେ । କେବଳ ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ମିଳିଛି । ଗାଁର ସରପଞ୍ଚ କହିଛନ୍ତିଯେ, ରାଜନୈତିକ ଦଳଗୁଡିକ ବି ଏନେଇ ସହଯୋଗ କରୁଛନ୍ତି । କୌଣସି ବିବାଦ ଉଠିଲେ ଗାଁର ଲୋକ ଅଦାଲତରେ ବିଚାର ହୁଏ । ପୋଲିସ ନିକଟକୁ ଆଗ ଯାଇ ଅଭିଯୋଗ କଲେ  ୫ଶହ ଟଙ୍କା ଜରିମାନା ଲାଗେ । ଏଠାରେ ସରପଞ୍ଚ ନିର୍ବାଚନ କେବେ ହୁଏନି । ସବୁବେଳେ ଆପୋଷ ବୁଝାମଣାରେ ସରପଞ୍ଚ ଚୟନ କରାଯାଏ । ସମାଧିୟାଲା ଅନ୍ୟ ଗାଁମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.