ଦେବଗିରି ବାର୍ତ୍ତା ସମ୍ମାନ ପାଇବେ କଳାହାଣ୍ଡିର ୭ ସାମ୍ବାଦିକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମ୍ବାଦ ପରିବେଷଣ କରି ସାଧାରଣ ଜନତାଙ୍କ ସ୍ବରକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚେଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା କଳାହାଣ୍ଡିର ୭ଜଣ ସୁନାମଧନ୍ୟ ସାମ୍ବାଦିକ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବରେ ସମ୍ବର୍ଦ୍ଧିତ ହେବେ। ଡିସେମ୍ବର ୨ ରୁ ୪ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଡିସେମ୍ବର ୩ ଦ୍ବିତୀୟ ସଂନ୍ଧ୍ୟାରେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ସାହୁ, ଲିଙ୍ଗରାଜ ମିଶ୍ର, ଅନନ୍ତ କୁମାର ପାଳ, ଲକ୍ଷ୍ମଣ ସ୍ୱାଇଁ, ନବୀନ କିଶୋର ସାହୁ, ସ୍ନିଗ୍ଧାରାଣୀ ସିଂହ ଓ ନିକୁଞ୍ଜ ଦତ୍ତାଙ୍କୁ ବାର୍ତ୍ତା ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି।

ଦୀର୍ଘ ବର୍ଷ ଧରି ଲାଞ୍ଜିଗଡ ପ୍ରେସ୍ କ୍ଲବର ସଭାପତି ଭାବେ କାର୍ଯ୍ୟରତ କୈଳାସ ଚନ୍ଦ୍ର ସାହୁ ସମ୍ବାଦ, ପ୍ରମେୟ, କାମୟାବ ଟିଭି, କେବିକେ ସମାଚାର, କନକ ନ୍ୟୁଜ ଆଦିରେ କାର୍ଯ୍ୟ କରିଥିବା ବେଳେ ବର୍ତମାନ ନକ୍ଷତ୍ର ନ୍ୟୁଜର ସମ୍ବାଦଦାତା ଭାବେ କାର୍ଯ୍ୟ କରୁଛନ୍ତି। ସାମ୍ବାଦିକ ଲିଙ୍ଗରାଜ ମିଶ୍ର କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ଉପ ସଭାପତି ଥିବାବେଳେ ସେ ଦୀର୍ଘବର୍ଷ ଧରି ପ୍ରଗତିବାଦୀ ଖବରକାଗଜର ନର୍ଲା ପ୍ରତିନିଧି ଭାବେ ସମ୍ବାଦ ପରିବେଷଣ କରିଆସୁଛନ୍ତି। ସାମ୍ବାଦିକ ଅନନ୍ତ କୁମାର ପାଳ ୨୦୧୪ରୁ ପ୍ରଜାତନ୍ତ୍ର ଦୈନିକର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟାରମ୍ଭ କରି ପରବର୍ତ୍ତୀ ସମୟରେ ସର୍ବସାଧାରଣ ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ଦର୍ଶନ ନ୍ୟୁଜର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ।

ସେହିପରି ଭାବେ ଲକ୍ଷ୍ମଣ ସ୍ୱାଇଁ ଜଣେ ଯୁବ ସାମ୍ବାଦିକ, ସୁସଂଗଠକ, ଗୀତିକାର, ଗାଳ୍ପିକ, କାହାଣୀ ଓ ପ୍ରଚ୍ଛଦପଟ୍ଟ ଲେଖକ ଭାବରେ ସୁପରିଚିତ। ୨୦୦୬ ମସିହାରୁ ସେ ନିରବଛିନ୍ନ ଭାବେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଆସୁଥିବା ବେଳେ ବର୍ତ୍ତମାନ କ୍ରାନ୍ତିଧାରା ଦୈନିକ ଖବରକାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅଛନ୍ତି। ନବୀନ କିଶୋର ସାହୁ ଜଣେ ନିରପେକ୍ଷ ଖବରଦାତା ଭାବେ ସୁପରିଚିତ। ପୂର୍ବରୁ ସେ ସମ୍ବାଦ, ନିତିଦିନ, ସର୍ବସାଧାରଣ ଓ ପ୍ରଜାତନ୍ତ୍ରରେ କାର୍ଯ୍ୟ କରିଥିବାବେଳେ ବର୍ତ୍ତମାନ ପ୍ରମାଦ ଦୈନିକ ଖବରକାଗଜରେ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି। ସେହିପରି ଭାବେ ପହରା’ରୁ ସାମ୍ବାଦିକତା ଆରମ୍ଭ କରି ଲୋକପ୍ରିୟ ହୋଇଥିବା ସାମ୍ବାଦିକା ସ୍ନିଗ୍ଧାରାଣୀ ସିଂହ (ନିକ୍କୀ) ନ୍ୟୁଜ୍ ସେଭେନ୍’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ। ଜଣେ ଯୁବ ପତ୍ରକାର ଭାବେ ସେ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚି ଜନସାଧାରଣଙ୍କ କଥାକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚାଇଥାନ୍ତି। ଜିଲ୍ଲାର ପ୍ରଥମ ଟିଭି ସାମ୍ବାଦିକା ନିକ୍କୀ ସାହିତ୍ୟ ଓ ଚିତ୍ରକଳାରେ ମଧ୍ୟ ବେଶ୍ ସକ୍ରିୟ। ସେହିପରି ଭାବେ ସଙ୍ଗୀତ ଓ ସମାଜସେବାରେ ରୁଚି ରଖିଥିବା ଯୁବ ସାମ୍ବାଦିକ ନିକୁଞ୍ଜ ଦତ୍ତା ନବଭାରତ ଖବରକାଗଜର ନର୍ଲା ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରୁଛନ୍ତି।ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସହିତ ଜଡିତ ରହି କଳାହାଣ୍ଡିର ଦୁର୍ଗମ ଅଞ୍ଚଳର ଗ୍ରାଉଣ୍ଡ ଜିରୋରୁ ବିଭିନ୍ନ ସମସ୍ୟା ସମ୍ପର୍କିତ ଓ ଦୁର୍ନୀତି ବିରୋଧୀ ତଥା ତଥ୍ୟ ଭିତ୍ତିକ କଲମ ଚାଳନା କରି ଏହି ସାମ୍ବାଦିକମାନେ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶରେ ଏକ ବିପ୍ଳବ ଆଣି ପାରିଛନ୍ତି। ତେଣୁ କୁମାରସ୍ବାମୀ ମହୋତ୍ସବ ଅବସରରେ ଏହି ଅନନ୍ୟ ପ୍ରତିଭାଦୀପ୍ତ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯିବ ବୋଲି ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.