ଓଡ଼ିଆ ବାର୍ତ୍ତା / ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଶିରିମସ୍କା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ସଫଳତାର ସହ ସମାପନ ହୋଇଯାଇଛି। ଦୁଇଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳୀ ମାଝୀ, ସିଆରସିସି ତପନ ବେହେରା, ଅବସର ପ୍ରାପ୍ତ ଶିକ୍ଷକ ଦିଲ୍ଲୀପ କୁମାର ଦାଶ, ସି.ଆର.ସି.ସି ଡମ୍ବରୁଧର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈରାଗୀ ଚରଣ ନାଏକଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ବାଳକ ଏବଂ ବାଳିକାଙ୍କ ସିନିୟର ଏବଂ ଜୁନିୟର ବର୍ଗରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ଦୌଡ, ହାଇଜମ୍ପ୍, ଲଂଗଜମ୍ପ୍, ସଟଫୁଟ୍, ଡିସକସ୍ ଥ୍ରୋ, ଜାଭଲିନ୍ ଥ୍ରୋ, ମ୍ୟୁଜିକ ଚେୟାର, ଖୋଖୋ ଏବଂ କବାଡି ଏବଂ ବାଳିକା ବର୍ଗଙ୍କ ପାଇଁ ପୁଚି, ଦଉଡି ଡିଆଁ, ମ୍ୟୁଜିକ ଚେୟାର, ଦୌଡ ଏବଂ ଲଂଗଜମ୍ପ ଭଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିସହିତ ସଙ୍ଗୀତ, ଏକକ ନୃତ୍ୟ ଏବଂ ଦଳଗତ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବିଜେତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।