ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବସିଲା ପବ୍ଳିକ୍ କନ୍ସୁଲଟେସନ୍ ମିଟିଂ

୪୫୩ କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ ହେବ ୪ଲେନ ବିଶିଷ୍ଠ ବାଇପାସ୍ ରାସ୍ତା

ପ୍ରସ୍ତାବିତ ଅଂଚଳ ବୁଲି ଦେଖିଲେ ସାଂସଦ ସପ୍ତଗିରି ଓ ବିଧାୟକ ମକରନ୍ଦ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା-ଜେକେପୁର ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟାର ସମାଧାନ ଏବଂ ସଡକ ଦୁର୍ଘଟଣାକୁ ଏଡାଇବାକୁ ଗତ ୩ ଦଶନ୍ଧି ଧରି ବାଇପାସ୍ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ । ଯାହାକି ଏବେ ସାକାର ହେବାକୁ ଯାଉଛି । ଆଜି ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷରେ ଜାତୀୟ ରାଜପଥ ଡିିଭିଜନ୍‌,ସୁନାବେଡା ପକ୍ଷରୁ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଠ ପରାମର୍ଶ ନିମନ୍ତେ ପ୍ରଥମ ବୈଠକ ଆୟୋଜିତ ହୋଇଥିଲା । ଏଥିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡା ପୈାରଧ୍ୟକ୍ଷ ପି.ମହେଶ ପଟ୍ଟନାୟକ,ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ଉପଜିଲ୍ଳାପାଳ ଭୀମସେନ ଶବର, ଭୂ-ଅର୍ଜନ ଅଧିକାରୀ ନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ସୁନୀଲ ଖରା, ସୁନାବେଡା ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ସୈାମର୍ଜିନୀ ସେଠୀ, ଜାତୀୟ ରାଜପଥ ଉପବିଭାଜନ ରାୟଗଡା ସହକାରୀ ନିର୍ବାହୀ ଯନ୍ତ୍ରୀ ବିକ୍ରମ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ କିଶୋର ସିଂ, କନ୍ସୁଲଟେନ୍ସି କର୍ତୁପକ୍ଷ ଗୟାଧର ସାହୁ, ପୈାର ସଂସ୍ଥା ଏମ.ଇ.ସଂଜୀବ କୁମାର ପାଢୀ, କନିଷ୍ଠ ଯନ୍ତ୍ରୀ ବୁଲୁ ସେଠୀଙ୍କ ସମତେ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ବୈଠକରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ସୈାମର୍ଜିନୀ ସେଠୀ ୩୨୬ନମ୍ବର ଜାତୀୟ ରାଜପଥରୁ ଅମ୍ଳଭଟ୍ଟା-ଶିରିକଣା ବାଇପାସ୍ତ ରାସ୍ତା ନିର୍ମାଣ ପ୍ରସ୍ତାବ ସଂପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ । ୩୨୬ ନମ୍ବର ଜାତୀୟ ରାଜପଥର ଅମ୍ଳଭଟ୍ଟା ନିକଟସ୍ଥ ମିଟ୍ସ କଲେଜ ପାଖରୁ ଦୀର୍ଘ ୧୩.୦୧୨ କିଲୋମିଟର ଲମ୍ବ ୪ର୍ଥ ଲେନ୍ ବିଶିଷ୍ଠ ବାଇପାସ୍ ରାସ୍ତା ଆରମ୍ଭ ହୋଇ ରାୟଗଡା ସହର ଉପକଣ୍ଠ ଶିରିକଣା ଛକ ନିକଟରେ ପୁଣି ୩୨୬ନମ୍ବର ଜାତୀୟ ରାଜପଥରେ ସଂଯୋଗ କରି ଶେଷ ହେବ । ଏହି ୪ର୍ଥ ଲେନ୍ ବିଶିଷ୍ଠ ବାଇପାସ୍ ରାସ୍ତା ନିମନ୍ତେ ୨୧୮ କୋଟି ୭୮ଲକ୍ଷ ଟଙ୍କା ଟଙ୍କାର ଜମି ଅଧିଗ୍ରହଣ କରାଯିବା ସହ ରାସ୍ତା ନିର୍ମାଣ ପାଇଁ ୨୩୪କୋଟି ୩୨ଲକ୍ଷ ମୋଟ ୪୫୩କୋଟି ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବୈଠକରେ ପ୍ରକାଶ ପାଇଥିଲା । ତେବେ ଭାରତ ସରକାରଙ୍କ ରାସ୍ତା ପରିବହନ ଓ ଜାତୀୟ ରାଜପଥ ବିଭାଗକୁ ଡିପିଆର ପଠାଇବା ବେଳେ ଆଉ କିଛି ସର୍ଭେ ପରେ ଡିପିଆରରେ ଖର୍ଚ୍ଚ ଅଧିକ ହୋଇପାରେ ବୋଲି ନିର୍ବାହୀ ଯନ୍ତ୍ରୀ ସେଠୀ କହିଛନ୍ତି । ଏହି ୧୩ କିଲୋମିଟର ବାଇପାସ୍ ରାସ୍ତା ମଧ୍ୟରେ ସୀତାଗୁରହ ଏବଂ ନାଗାବଳୀ ୨ଟି ନଦୀ ଉପରେ ଉଚ୍ଚସ୍ତରୀୟ ବ୍ରିଜ୍ ନିର୍ମାଣ ହେବାକୁ ଥିବା ବେଳେ ବିଜୟନଗରମ୍‌-ରାୟପୁର ରେଳ ଧାରଣା ଉପରେ ଏକ ଓଭରବ୍ରିଜ୍ ସହ ୩୨୬ ନମ୍ବର ଭଳି ରାଜପଥ, ୯ଟି ଗ୍ରାମ୍ୟ ରାସ୍ତା, ୩ଟି କେନାଲ ଏବଂ ୧୦ଟି ଝରଣା ଅତିକ୍ରମ କରିବ ବୋଲି ଜଣାପଡିଛି ।

ସେହିପରି ଏହି ବାଇପାସ୍ ରାସ୍ତାଟି ରାୟଗଡା ତହସିଲ ଅନ୍ତର୍ଗତ ଅମ୍ଳଭଟ୍ଟା, ଭାକୁରଗୁଡା, ବାରିଝୋଲା, ବୀରନାରାୟଣପୁର, ଚାନ୍ଦିଲି, କୁମୁତଲପେଟା, କଟଲାଗୁଡା, ସିନ୍ଧୁବାରି, ସିଙ୍ଗନାପୁର, ସିରିଗୁରା, ଶିରିକଣା ଏବଂ କୋଲନରା ବ୍ଳକର ଭୂଜବଳକୁ ସଂଯୋଗ କରିବ । ସେହିପରି ଏହି ବାଇପାସ ରାସ୍ତା ମଧ୍ୟରେ ୧୨୯.୪୧୯ ଏକର ଘରୋଇ ଜମି ଏବଂ ୪୪.୯୧୮ ଏକର ସରକାରୀ ଜମି ରହୁଛି ଯାହା ସର୍ବମୋଟ ୧୭୪.୩୪ଏକର ଓ ୪.୧୮ଏକର ଜଙ୍ଗଲ ଜମି ରହିଛି ବୋଲି ପ୍ରସ୍ତାବରେ ଉଲ୍ଲେଖ ରହିଛି । ରାୟଗଡା ଓ ଜେକେପୁର ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥ ସିଧାସଳଖ ଗଂଜାମ ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଳା ଅତିକ୍ରମ କରି ପୂର୍ବ ଓ ଦକ୍ଷିଣ ଓଡିଶାକୁ ସଂଯୋଗ କରୁଛି । ଏଥିସହ ଦକ୍ଷିଣାଂଚଳର ଏନଏଚ-୩୨୬ଏ, ଏନଏଚ-୫୯, ଏନଏଚ୫୧୬ ଏବଂ ପାଲସା- ପାରଲାଖେମୁଣ୍ଡି ରାସ୍ତା ୩୨୬ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବେଳେ ରାୟଗଡା ଜିଲ୍ଳାରେ ଗଢି ଉଠିଥିବା ଜେକେ କାଗଜ କଳ, ଇମ୍ଫା, ଉତ୍କଳ ଆଲୁମିନା ଓ ବେଦାନ୍ତ ଭଳି ବଡ ବଡ ଶିଳ୍ପାନୁଷ୍ଠାନ ସମେତ କ୍ଷୁଦ୍ର, ମଧ୍ୟମ ଇଣ୍ଡଷ୍ଟ୍ରିଜ୍‌ଗୁଡିକ ଯୋଗୁଁ ହଜାର ହଜାର ମାଲବାହୀ ଯାନବାହାନ ଚଳାଚଳ ଯୋଗୁଁ ଜେକେପୁର-ରାୟଗଡା ମଧ୍ୟରେ ଟ୍ରାଫିକ୍ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ଭେଣ୍ଡି ପଂଏଟର ଅଭାବ, ପାର୍କିଂ ସ୍ଥାନର ଅଭାବ ସହ ରାସ୍ତା କଡରେ ଅନାଧିକାର ଦୋକାନ ବଜାର ଗଢି ଉଠିଥିବାରୁ ଏହି ରାସ୍ତାଟି ବ୍ୟସ୍ତବହୁଳ ଏବଂ ଦୁର୍ଘଟଣାଜନୀତ ରାସ୍ତାରେ ପରିଣତ ହୋଇଛି । ଏଥିସହ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାମରୁ ଛତିଶଗଡ ରାୟପୁର ମଧ୍ୟରେ ରାୟଗଡା-ଜେକେପୁର ସହର ମଧ୍ୟ ଦେଇ ନିୟମିତ ଭାବେ ମାଲବାହୀ ଗାଡିଗୁଡିକ ଯାତାୟାତ କରୁଥିବାରୁ ସଂପ୍ରତି ରାଜପଥଟି ବ୍ୟସ୍ତବହୁ୍‌ଳ ହୋଇପଡିଛି । ଏହି ବାଇପାସ ରାସ୍ତା ନିର୍ମାଣ ହେଲେ ଆଉ ଟ୍ରାଫିକ୍ ସମସ୍ୟା ରହିବ ନାହଁ ଏବଂ ସଡକ ଦୁର୍ଘଟଣାରେ ଅକାଳରେ ଜୀବନହାନି ହେବ ନାହିଁ ବୋଲି ସାଂସଦ ଶ୍ରୀ ଉଲାକା ପ୍ରକାଶ କରିଛନ୍ତି । ବୈଠକ ଶେଷ ହେବା ପରେ ସାଂସଦ ସପ୍ତଗିରି,ବିଧାୟକ ମକରନ୍ଦ, ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନ, ଉପଜିଲ୍ଳପାଳ ଶ୍ରୀ ଶବରଙ୍କ ସମେତ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀମାନେ ପ୍ରସ୍ତାବିତ ଅଂଚଳ ପରିଦର୍ଶନରେ ଯାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.