ଚଇତି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା”ର ପ୍ରସ୍ତୁତିକୁ ନେଇ ମନ୍ତ୍ରୀଙ୍କ ବୈଠକ

ଚଇତି ମହୋତ୍ସବକୁ ଅଧିକ ଆକର୍ଷଣୀୟ ଓ ସରସସୁନ୍ଦର ଭାବେ ଆୟୋଜନ କର –ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲାର ଲୋକ ମହୋତ୍ସଵ “ଚଇତି ଓ ପଲ୍ଲିଶ୍ରୀ ମେଳା -୨୦୨୩” ଆସନ୍ତା ଜାନୁଆରୀ ୧୮ ରୁ ୨୨ ତାରିଖ ଯାଏଁ ୫ ଦିନ ଧରି ଅନୁଷ୍ଠିତ ହେବ । ଆଉ ଅଳ୍ପ ଦିନ ରହିଥିବା ବେଳେ ଜିଲ୍ଲା ସଂସ୍କୃତି ପରିଷଦ ତଥା ଚଇତି ଉତ୍ସବ ପାଳନ କମିଟି ପକ୍ଷରୁ ପ୍ରସ୍ତୁତି କିପରି ଚାଲିଛି ଏବଂ ଚଇତି ମହୋତ୍ସବକୁ କିପରି ଆହୁରି ଆକର୍ଷଣୀୟ କରିହେବ ସେ ନେଇ ଆଜି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡା ଜିଲ୍ଲାପାଳଙ୍କ ସଦଭାବନା କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି l ବୈଠକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର କୁମାର ଦାସ,ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ଉପସ୍ଥିତିରେ ଚଇତି ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ଦାୟିତ୍ୱରେ ଥିବା ଉପକମିଟିର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ଆସନ୍ତା ଜାନୁୟାରୀ ମାସର ୧୨ ତାରିଖରୁ ୨୯ ତାରିଖ ଯାଏଁ ହକି ବିଶ୍ବ କପ ଆୟୋଜନ ହେଉଥିବାରୁ ଏହି ସମୟରେ ରାଜ୍ୟରେ ଜିଲ୍ଲା ମହୋତ୍ସବ ଗୁଡିକର ଆୟୋଜନ କରିବା ନିମନ୍ତେ ନିର୍ଦ୍ଦେଶ ରହିଛି । ଚଇତି ମହୋତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ଆୟୋଜନ କରାଯିବା ସହ ଚଇତିକୁ ସରସ ସୁନ୍ଦର ଭାବରେ ପାଳନ ନିମନ୍ତେ ସମସ୍ତ ଅଧିକାରୀ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବିଶେଷ କରି ସଂସ୍କୃତି, ମଞ୍ଚ ପରିଚାଳନା, ଶୋଭା ଯାତ୍ରା, ପ୍ରଚାର ପ୍ରସାର,ଖାଦ୍ୟ, ସ୍ମରଣୀକା,ରହଣି ଓ ଥଇଥାନ, ପରିବହନ , ପ୍ରଦର୍ଶନୀ, ନିମନ୍ତ୍ରଣ ଆଦି କମିଟିଗୁଡିକ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ରବି ନାରାୟଣ ତ୍ରିପାଠୀ,  ଉପଜିଲ୍ଲାପାଳ ଭୀମସେନ ଶବର, ପିଏ ଆଇଟିଡିଏ ପଦ୍ମ ଚରଣ ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,  ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲିନୁର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ନାଏକ, ସହକାରୀ ନିର୍ଦ୍ଦେଶକ ଓରମାସ ମନୋଜ କୁମାର ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀଙ୍କ ସମେତ ରାୟଗଡା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ କୁମାର ଗନ୍ତାୟତ, ଡ଼ିଇଓ ରାୟଗଡା ପୂର୍ଣ୍ଣ ଚନ୍ଦ୍ର ବରିହା, ଏଡ଼ିଇଓ ରାୟଗଡ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.