ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ୟୁପି ସ୍କୁଲ ପରିସରରେ ଆଜି ପଞ୍ଚାୟତସ୍ତରୀୟ ଘୁମୁରା-୨୦୨୩ ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ ଘଣ୍ଟା ସମୟରେ ଏନେଇ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ସର୍ଗିଗୁଡା ସରପଞ୍ଚ ଦୀପଞ୍ଜଳୀ ବୁଦ୍ଧିଆଙ୍କ ନେତୃତ୍ୱରେ ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, ନାଏବ ସରପଞ୍ଚ ସୁମିତ୍ରା ଓଝା, ଶିକ୍ଷକ ଦୟାନିଧି ଡ଼ାଲୁଆ, ଚକ୍ରଧର ସା, ସନ୍ତୋଷ କର, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ସାହୁ, ସରପଞ୍ଚ ଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ସର୍ଗିଗୁଡା ଗ୍ରାମ ପଂଚାୟତ କର୍ମଚାରୀ ଟଂକଧର ସା, ଜିଆରଏସ ସୁଶାନ୍ତ ସେଠୀ, ଶଙ୍କର ଗୌଡ଼ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଗ୍ରାମବାସୀ, ଓ ଛାତ୍ର ଛାତ୍ରୀଙ୍କ ଗହଣରେ ଘୁମୁରା ବାଦ୍ୟର ତାଳେ ତାଳେ ନର୍ଲାରୋଡ଼ ଶିବ ମନ୍ଦିର ରୁ ମଶାଲ ନେଇ ରାଧାକୃଷ୍ଣ ମନ୍ଦିର, ହନୁମାନ ମନ୍ଦିର ରେ ପୂଜାର୍ଚ୍ଚନା କରି ଆଦିମାତା ମଞ୍ଚକୁ ମଶାଲ ନେଇଆସି ସ୍ଥାପନା କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କର, ଚକ୍ରଧର ସା, ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦୟାନିଧି ଡାଲୁଆଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପ୍ରତିଯୋଗୀତା ଗୁଡିକ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବରେ ଉପାଧ୍ୟକ୍ଷା ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠି, ଯୁବ ଉଦ୍ୟୋକ୍ତା ବିମଲ କୁମାର କେଡ଼ିଆ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ କଲ୍ୟାଣ କୁମାର ସାହୁ ଯୋଗଦାନ କରି କଳାହାଣ୍ଡିର କଳା ସଂସ୍କୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ବୃନ୍ଦ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କୁ ଗ୍ରାମ ପଂଚାୟତ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଅଧିବେଶନରେ ଆଦୀମାତା ମଞ୍ଚରେ ପଞ୍ଚାୟତ ଅଧିନ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ମହିଳା ମାନଙ୍କୁ ନେଇ ଅନୁଷ୍ଠିତ ଶଙ୍ଖ ଫୁଙ୍କା ଓ ହୁଳହୁଳି ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ପଞ୍ଚାୟତ ଅଞ୍ଚଳର ଉତ୍ତମ ଛାତ୍ର, ଉତ୍ତମ ଚାଷୀ, ଉତ୍ତମ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ବିଶିଷ୍ଟ କଳାକାର, ଉଦ୍ୟୋଗୀ ମହିଳା ଓ ଉତ୍ତମ ଶିକ୍ଷକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ସର୍ଗିଗୁଡା, ବାଂକେଲ, ନର୍ଲାରୋଡ଼, ଭଟାଙ୍ଗ, ବେହେରାପାର୍ଟି ଓ ଅନ୍ୟାନ୍ୟ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନେ ଏକକ ଏବଂ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ନାଏବ ସରପଞ୍ଚ ସୁମିତ୍ରା ଓଝା, ଜିଆରଏସ ସୁଶାନ୍ତ ସେଠୀ, ଯୋଗାଣ ସହାୟକ ଟଂକଧର ସା, ଶଙ୍କର ଗୌଡ଼, ଯଦୁ ମାଝୀ ସମେତ ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ସହଯୋଗ କରିଥିଲେ । ଶେଷରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।