ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଆରମ୍ଭ ହୋଇଛି ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩। ବୀର ବାଦ୍ୟ ଘୁମୁରାର ଗୁରୁ ଗମ୍ଭିର ନାଦରେ ପ୍ରକମ୍ପିତ ହେଉଛି କଲାପାର ମଞ୍ଚ। ନର୍ଲା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବର ପ୍ରଥମ ସାନ୍ଧ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ଲୋକଗୀତ, ଲୋକନୃତ୍ୟ ପରିବେଶିତ ହେଉଥିବାବେଳେ ଦର୍ଶକଙ୍କ ମନମୋହିଛି ନାଟ୍ୟକାର ଡିଲେଶ୍ବର ରଣାଙ୍କ ନାଟକ ସେଁରରା। ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢୀପଦର ଦ୍ବାରା ପ୍ରସ୍ତୁତ ଏହି ନାଟକର ଲେଖକ ହେଉଛନ୍ତି ପ୍ରଧାନମନ୍ତ୍ରୀ ଯୁବ ପୁରସ୍କାରପ୍ରାପ୍ତ ଲେଖକ ତଥା ନାଟ୍ୟକାର ଡିଲେଶ୍ୱର ରଣା। ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର ନାଟକର ନିର୍ଦ୍ଦେଶନା ଦେଇଛନ୍ତି।
ବର୍ତ୍ତମାନ ସମୟରେ ବିଲୁପ୍ତ ହୋଇଆସୁଥିବା ହସ୍ତକଳା ତଥା ମାଟିକଳା ଏବଂ ତାକୁ ଉପଜୀବ୍ୟ କରି ବଂଚି ଆସୁଥିବା କଳାକାରଙ୍କ ଜୀବନ ଏହି ନାଟକରେ ପ୍ରଦର୍ଶିତ ହୋଇଛି। ଆଧୁନିକତାର ଛାପରେ ଆମେ ସୁବିଧାବାଦୀ ହେବା ଲକ୍ଷ୍ୟରେ ଭୁଲିଯାଉଛେ ଆମର ଇତିହାସ, ପରମ୍ପରା ଓ ପାରମ୍ପରିକ କଳା; ଯାହା ଏଠାରେ ସ୍ଥାନିତ ହୋଇଛି। ଏହି ନାଟକରେ ବିଭିନ୍ନ ଭୂମିକାରେ ଡ. ଦୀନବନ୍ଧୁ ସାହୁ, ପ୍ରବୀର ମିଶ୍ର, ତ୍ରିମୋହନ ସାହୁ, ସ୍ୱାଧୀନ ପାତ୍ର, ଦୀପ୍ତିମୟୀ ସିଂ, ଆର୍ଯ୍ୟା ନାଏକ, ସୌମ୍ୟରଂଜନ ଜେନା, ଦିବାକର ସାହୁ, ଡିଲେଶ୍ୱର ରଣା, ତଥାଗତ ମିଶ୍ର, ଅମରେନ୍ଦ୍ର ମହାନ୍ତି, ରାମେଶ୍ୱର ତ୍ରିପାଠୀ, ପ୍ରଜ୍ଞା ପରିମିତା ନାୟକ, ଶୁଭମ ବେହେରା, ପ୍ରିୟଙ୍କା ପଟ୍ଟନାୟକ, ଆଲୋକ ସାହୁ, ଗୋପୀଧର ନାୟର, ଧନଞ୍ଜୟ ସାହୁ, ସାଇ ସନୟା ପ୍ରଧାନ, ଆରୁଷି ପ୍ରଧାନ, ତ୍ରିନାଥ ଶ୍ୟାମ କୁମାର, ସୂର୍ଯ୍ୟାସୁଂ ସାହୁ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ କୁମାର ସିଂ,ଲିପ୍ସା ମହାରଣା, ପ୍ରଭୁରଞ୍ଜନ ନାଏକ, ଅଜୟ ଗୋପାଳ, ରଘୁନାଥ ଠାକୁର। ଲାଇଟ ଓ ମେକଅପରେ ଥିଲେ ଆଶୁତୋଷ ପୁରୋହିତ। ନାଟକଟି ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏହାସହ ବୁଢୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୁନି କୁନି ଛାତ୍ରୀମାନଙ୍କ ଦ୍ବାରା ପ୍ରଦର୍ଶିତ ନାଟକ ‘ନାରୀ ଶଶକ୍ତିକରଣ’ ଦର୍ଶକଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
ଆଜି ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ କରକମଳରେ ଉଦଘାଟିତ ହୋଇଯାଇଛି ନର୍ଲା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ। ପ୍ରାରମ୍ଭରେ ନର୍ଲା ବୁଢ଼ାରଜା ମନ୍ଦିରରେ ପୂଜାର୍ଚ୍ଚନା ସହ ଆରମ୍ଭ ହୋଇଥିଲା ମଶାଲ ଯାତ୍ରା। ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ରୋଡ ଜୁନିୟର କଲେଜର ଭୂଗୋଳ ଅଧ୍ୟାପକ ସରୋଜ କୁମାର ଜେନା, ସମ୍ମାନିତ ଅତିଥି ଭାବେ ବିଡିଓ ବାସନ୍ତୀ ସେଠୀ, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ ଓ ଲିଲୀ ଦୀପ ମଞ୍ଚାସୀନ ଥିଲେ। ଅତିଥିମାନେ କଳାହାଣ୍ଡି ତଥା ନର୍ଲା ମାଟିର ସଂସ୍କୃତିକ ବିଭବ ଉପରେ ଆଲୋକପାତ କରିଥିଲେ। ପ୍ରଥମ ଅଧିବେଶନରେ ଯୁବ ବ୍ୟକ୍ତିତ୍ବ ଗୋବିନ୍ଦ ତାଣ୍ଡି ମଞ୍ଚ ପରିଚାଳନା କରିଥିବାବେଳେ ସାନ୍ଧ୍ୟ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ କଳାକାର ସର୍ବେଶ୍ଵର ଭୋଇ। ଦୁଇଦିନ ଧରି ନର୍ଲାରେ ଏହି ଉତ୍ସବ ପାଳିତ ହେବ।
ଏଥିରେ ଆନ୍ତର୍ଜାତିକ ଖ୍ୟାତନାମା ଲୋକକଳା ସର୍ବେଶ୍ଵର ଭୋଇଙ୍କ ଦଳ, କୃଷ୍ଣପ୍ରିୟା କଳା ପରିଷଦ, ଢୋଲ ମହୁରୀ କଳା ପରିଷଦ, ବଲାଙ୍ଗୀର କଳାଜିବୀ, ବରଗଡର ଲୋକନୃତ୍ୟ ଆଦି ପରିବେଶିତ ହେବାକୁ ଥିବାବେଳେ ବୀରବାଦ୍ୟ ଘୁମୁରା ସହ ସଂଚାର, ଖଞ୍ଜଣୀ ଭଜନ ଆଦି ଅନେକ ଲୋକନୃତ୍ୟରେ ଦୁଲୁକୁଚି ମଞ୍ଚ। ଏହାସହ ଅନେକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଲୋକନୃତ୍ୟ ଓ ନାଟକ ପରିବେଷିତ ହୋଇଥିଲା।
ଉତ୍ସବ ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିସହ ଭଲିବଲ, ଫୁଟବଲ ସହ ମହିଳାମାନଙ୍କ ମଧ୍ୟରେ ଝୋଟି, ମୁରୁଜ, କେଶସଜ୍ଜା, ଶଙ୍ଖଫୁଙ୍କା ଓ ହୁଳହୁଳି ଆଦି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବରେ କୃଷି, ଉଦ୍ୟାନ କୃଷି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସ୍ବାସ୍ଥ୍ୟ ବିଭାଗ ସମେତ ଅନେକ ଷ୍ଟଲ ଲାଗିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାପାଇଁ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଛି। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ଓ ପଞ୍ଚାୟତର କର୍ମୀଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ନିର୍ବାଚିତ ଲୋକପ୍ରତିନିଧିମାନେ ସହଯୋଗ କରୁଛନ୍ତି। ଗୁରୁବାର ଏହି ମହୋତ୍ସବ ଉଦ୍ଯାପିତ ହେବ।