ଜେଲରୁ ଫେରିବା ପରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପ୍ରସଙ୍ଗ: ପୋଲିସ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କଲେ ବିଜେପି, କଂଗ୍ରେସ ଓ ବିଏସପି ଦଳ

ମୃତକଙ୍କ ପରିବାରକୁ ୧କୋଟି କ୍ଷତିପୂରଣ ସହାୟତା ରାଶି ପ୍ରଦାନ ସହ ଜଣଙ୍କୁ ଚାକିରି ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ନୀରିହ ଗରୀବ ଶ୍ରେଣୀର ମହିଳାମାନଙ୍କ ଉପରେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଅଣ୍ଡିରାକଂଚ ଥାନା ପୋଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ଏବଂ ମାନବିକତାକୁ ଭୁଲି ଜଣେ ୯ମାସର ଗର୍ଭବତୀ ମହିଳାଙ୍କୁ ମଧ୍ୟ ୩୦୭ଭଳି ଦଫାରେ ଗିରଫ କରି ଜେଲ ପଠାଇ୍‌ବା ପରେ ଜାମିନରେ ଆସି ଗର୍ଭବତୀ ମହିଳା ଜଣଙ୍କ ଏକ ନବଜାତ ଶିଶୁପୁତ୍ରକୁ ଜନ୍ମ ଦେଇ ମୃତ୍ୟୁବରଣ କରିବା ପ୍ରସଙ୍ଗରେ ରାୟଗଡା ଜିଲ୍ଳା କଂଗ୍ରେସ କମିଟି,ଭାରତୀୟ ଜନତା ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା ପ୍ରକାଶ ପାଇବା ସହ ପୋଲିସ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜୋର ଧରିଛି ।

ଉତ୍କଳ ଆଲୁମିନା କମ୍ପାନୀ ମାଇନ୍ସ ଅଂଚଳରେ ନିଜ ସାମାଜିକ ବୋଧ ତଥା ପାରିପାଶ୍ୱର୍ିକ ଉନ୍ନତି ନିୟମକୁ ଭୁଲି ଅଂଚଳବାସୀଙ୍କୁ କେବଳ ମିଥ୍ୟା ପ୍ରତିଶୃତି ଦେଇ ଆସୁଥିବା ବେଳେ ନିଯୁକ୍ତି ତଥା ରୋଜଗାରକ୍ଷମ ବିଷୟକୁ ନେଇ ଯଦି କେହି ସ୍ୱର ଉତୋଳନ କଲେ ଅଣ୍ଡିରାକଂଚ ଥାନା ପୋଲିସ ଦ୍ୱାରା ସେମାନଙ୍କ ନାମରେ ମିଥ୍ୟା କେସ୍ ଲଦି ଦେଇ ଜୁଲୁମ କରୁଛି ବୋଲି ଦଳମାନଙ୍କ ପକ୍ଷରୁ ମତାମତ ପ୍ରକାଶ ପାଇଛି । ଅଣ୍ଡିରାକଂଚର ଗ୍ରାମର ଗର୍ଭବତୀ ମହିଳା ଶୁଳାବତୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ମୃତକଙ୍କ ପରିବାରକୁ ୧କୋଟି ଟଙ୍କାର କ୍ଷତିପୂରଣ ସହ ପରିବାରର ଜଣଙ୍କୁ ଚାକିରି,ନବଜାତ ଶିଶୁର ଭରଣପୋଷଣ, କମ୍ପାନୀରେ ଅଂଚଳର ବେକାର ଯୁବକଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ରାୟଗଡା ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହୋଟେଲ ତେଜସ୍ୱୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା,ମହିଳା ପ୍ରଦେଶ କଂଗ୍ରେସ କମିଟି ଉପସଭାନେତ୍ରୀ ରତ୍ନମଣି ଉଲାକା,ରାୟଗଡା ବିଧାୟକ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକା,ଜିଲ୍ଳା ଯୁବ କଂଗ୍ରେସ ସଭାପତି ଆସଲାମ ଖାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ମୃତ ଶୁଲବତୀଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ସହାୟତା ରାଶି କମ୍ପାନୀ କର୍ତୁପକ୍ଷ ଓ ପୋଲିସ ତରଫରୁ ତୁରନ୍ତ ପ୍ରଦାନ କରିବା,ମୃତକଙ୍କ ସ୍ୱାମୀଙ୍କୁ କମ୍ପାନୀରେ ଚାକିରି ଦେବା,କଂସାରୀଗୁଡା ଠାରେ ପ୍ରସ୍ତାବିତ ଦ୍ୱିତୀୟ ପ୍ରକଳ୍ପ ଯଥାଶୀଘ୍ର ସ୍ଥାପନା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ନଚେତ ଜମି ଅଧିଗ୍ରହଣ ଦିନ ଠାରୁ କ୍ଷତିଗ୍ରସ୍ତ ଓ ଜୀବିକା ହରାଇଥିବା ଲୋକଙ୍କୁ ମୂଲ୍ୟ ଧାର୍ଯ୍ୟ କରି ଜମିର ୪ଗୁଣ ଦରରେ କ୍ଷତିପୂରଣ ପ୍ରଦାନ କରିବା,ଶାସକ ଦଳର ଏକ ଜନୈକ ନେତାଙ୍କୁ କନଭରବେଲ୍ଟ ରକ୍ଷାଣବେକ୍ଷଣ ଓ ଖଣିଜ ପଦାର୍ଥ ଏବଂ କୋଇଲା ପରିବହନ କରିବା ପାଇଁ ମାସକୁ ୪ରୁ ୫କୋଟି ଆର୍ଥିକ ମୁନାଫାକୁ ଯଥାଶୀଘ୍ର ବନ୍ଦ କରି ଅଂଚଳର ଜନସାଧାରଣଙ୍କୁ ଏହି ସୁଯୋଗ ନେବା ପାଇଁ ପଦକ୍ଷେପ ଗ୍ରହଣ କରିବା,ସ୍ଥାୟୀ ନିଯୁକ୍ତି ଭଳି ଦାବି କରିଥିଲେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ଉଲାକା । ଯଦି ସମସ୍ତ ଦାବିଗୁଡିକ ଚଳିତ ମାସ ଶେଷ ସୁଦ୍ଧା ସମାଧାନ ନ କରାଗଲେ ଆସନ୍ତା ଫେବୃଆରୀ ୬ତାରିଖ ଦିନ ଉତ୍କଳ ଆଲୁମିନା କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ କଂଗେସ୍ର ପକ୍ଷରୁ ଆନ୍ଦୋଳନ ଏବଂ ବିକ୍ଷୋଭ କରାଯିବ ବୋଲି କହିଛନ୍ତି ।

ସେହିପରି ଭାରତୀୟ ଜନତା ପାର୍ଟି ରାୟଗଡା ନିର୍ବାଚନୀ ମଣ୍ଡଳି ତରଫରୁ ସ୍ଥାନୀୟ ନ୍ୟିୁକଲୋନୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧ୍ୟ ଅଣ୍ଡିରାକଂଚ ଥାନା ପୋଲିସର ଜୁଲୁମ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ଡିସେମ୍ବର ୨୬ତାରିଖରେ ଲୁଣ୍ଡୁରକଣା ଛକରେ ଅଣ୍ଡିରାକଂଚ ଗ୍ରାମର ୧୩ଜଣ ମହିଳା କମ୍ପାନୀ ଅଧିନରେ ସେମାନଙ୍କୁ ଓ ତାଙ୍କ ପରିବାରର ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଶାନ୍ତିଶୃଙ୍ଖଳା ସହ ନିଜର ନ୍ୟାର୍ଯ୍ୟ ଦାବି ପାଇଁ ରାସ୍ତା କଡରେ ଆନ୍ଦୋଳନ କରୁଥିବା ସମୟରେ ଖବର ପାଇ ଅଣ୍ଡିରାକଂଚ ଥାନାର ଏସ.ଆଇ.ଆଶୁତୋଷ ସାହୁଙ୍କ ସମେତ ମହିଳା କନେଷ୍ଟବଳ ଏବଂ ଦୋରାଗୁଡା ଥାନାର ପୋଲିସ ଅଧିକାରୀମାନେ ପଂହଚି ୧୩ଜଣ ମହିଳାଙ୍କୁ ପୋଲିସକୁ ଆକ୍ରମଣ କରିବା ଉଦ୍ୟମ ସହ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ପୋଲିସଗାଡିକୁ ନିଆଁ ଲଗାଇ ଦେବା ଭଳି ଧମକ ଦେବା ଅଭିଯୋଗରେ ବିଭିନ୍ନ ଦଫା ସହ ୩୦୭ଦଫା ଲଗାଇ ଗରିଫ କରି ରାୟଗଡା ଉପକାରାଗାରାକୁ ପଠାଇଦେଇଥିଲେ । ତେବେ ଗିରଫ ମହିଳାଙ୍କ ମଧ୍ୟରେ ଜଣେ ୯ମାସର ଗର୍ଭବତୀକୁ ପୋଲିସ କିପରି ଗିରଫ କରି ଜେଲକୁ ପଠାଇଲା ଏବଂ ସେଠାରେ କୈାଣସି ପ୍ରକାର ଚିକିତ୍ସା ସେବା କାହିଁକି ଉପଲବ୍ଧ କରାଇଲା ନାହିଁ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ଉଲାକା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କେବଳ କମ୍ପାନୀର ଗୁଲାମଗିରି କରି ପୋଲିସ ନିଜ ପାୱାରର ଅପବ୍ୟବହାର କରି ନିରୀହ ଲୋକଙ୍କ ଉପରେ ଦାଉ ସାଧୁଛି ତେଣୁ ଜିଲ୍ଳା ଏସ.ପି.ଙ୍କ ସମେତ ଅଣ୍ଡିରାକଂଚ ଥାନା ଅଧିକାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ତୁରନ୍ତ ବହିଷ୍କାର କରିବା,ଘଟଣାର ନ୍ୟାୟିକ ତଦନ୍ତ କରିବା,ମୃତକଙ୍କ ପରିବାରଙ୍କୁ ୧କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ଓ ସମସ୍ତ ଆନ୍ଦୋଳନରତ ମହିଳାଙ୍କୁ ନିଯୁକ୍ତ ଦେବା ଓ ସେମାନଙ୍କ ନାମରେ ଦିଆଯାଇଥିବା ମିଥ୍ୟା କେସକୁ ପ୍ରତ୍ୟାହାର କରିବା ଦାବି କରାଯାଇଛି । ଏହି ସାମ୍ବାଦିକି ସମ୍ମିଳନୀରେ ରାଷ୍ଟ୍ରିୟ ଜନଜାତି ମୋର୍ଚ୍ଚା ସାଧାରଣ ସଂପାଦକ କାଳୀରାମ ମାଝି,ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଉମେଶ ଖୋସଲା,ଗୁଣନିଧି ବାଗଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ଘଟଣାକୁ ତୀବ୍ର ନିନ୍ଦା କରି ଅଣ୍ଡିରାକଂଚ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ବର୍ଷିଛନ୍ତି ବହୁଜନ ସମାଜ ପାର୍ଟି ରାୟଗଡା ଜିଲ୍ଳା ଶାଖା ସଭାପତି ଧୀମାନ୍ ଜିତୁ ଜାକେସିକା । ସେ ମଧ୍ୟ ମୃତକଙ୍କ ପରିବାରଙ୍କୁ ୧କୋଟି ଟଙ୍କାର କ୍ଷତିପୂରଣ ସହ ପରିବାରର ଜଣଙ୍କୁ ଚାକିରି ଦେବା ପାଇଁ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.