ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ତତ୍ତାବଧାନ ଏବଂ ସିନାପାଲି ଗାୟତ୍ରୀ ଶକ୍ତିପୀଠର ଆନୁକୂଲ୍ଯରେ ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ବିରାଟ କଳସ ଶୋଭାଯାତ୍ରା ମାଧ୍ଯମରେ ଭବ୍ଯ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଗୁରୁବାର ଶୁଭ ଉଦଘାଟିତ ହୋଇଛି। ଏହି ଶୋଭାଯାତ୍ରାରେ ଏକାବନ ଶହ ମହିଳା ପୂର୍ଣ୍ଣ କଳସ, ଏକୋଇଶି ଶହ ପୁରୁଷ ସତ୍ ସାହିତ୍ଯ ଧାରଣ କରିଥିଲେ। ଯଜ୍ଞର ମୁଖ୍ଯ ଯଜମାନ ଗଜାନନ ଅଗ୍ରୱାଲ ଓ ସୁନୀତା ଅଗ୍ରୱାଲ ମୁଖ୍ଯ କଳସ ଏବଂ ସିନାପାଲି ଶକ୍ତିପୀଠର ସଭାପତି ଶଶିଭୂଷଣ ମାଝୀ ଓ ତାଙ୍କ ଧର୍ମପତ୍ନୀ କାଂଚନ ମାଝୀ ଶକ୍ତି କଳସ ଧାରଣ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା ଘଣ୍ଟ, ସଂକିର୍ତ୍ତନ, ଘୁମୁରା ଆଦି ପାରମ୍ପରିକ ସାଂସ୍କୃତିକ ଦଳ ସହ ବିଭିନ୍ନ ଅନୁଷ୍ଠାନର ପ୍ରଦର୍ଶନୀ ମେଢ଼ ସାମିଲ ହୋଇଥିଲେ। ସକାଳୁ ସମସ୍ତେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଏକତ୍ରିତ ହେଲା ପରେ ସେଠାରୁ ଉଦନ୍ତୀ ନଦୀକୁ ଯାଇ ଅଭିମଂତ୍ରିତ ପୂର୍ଣ୍ଣ କଳସ ଧରି ଶୋଭାଯାତ୍ରା ମାଧ୍ଯମରେ ସିନାପାଲି ନଗର ପରିକ୍ରମା କଲା ପରେ ଯଜ୍ଞସ୍ଥଳକୁ ପହଂଚିଥିଲେ। ଏହାପରେ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ପ୍ରଜ୍ଞା ପୁରୁଷ ପ୍ରଫେସର ପ୍ରମୋଦ ଭଟ୍ଟନାଗର, ବେଦ ଗବେଷକ ଗାୟତ୍ରୀ କିଶୋର ତ୍ରିବେଦୀ, ଡକ୍ଟର ଜିତେଂଦ୍ର ମିଶ୍ରା, ଓଡ଼ିଶା ପ୍ରଭାରି ଶେଷଦେବ ବଢ଼େଇ, ଉପପ୍ରଭାରି ପ୍ରଦୀପ ସାହୁଙ୍କ ଉପସ୍ଥିତିରେ ମହାଯଜ୍ଞର ଶୁଭଉଦଘାଟନୀ କରାଯାଇଥିଲା। ଏହା ପରେ ସାମୁହିକ ଅନ୍ନ ଭୋଜନ କରାଯାଇଥିଲା। ସଂଧ୍ଯାରେ ଶାନ୍ତିକୁଞ୍ଜରୁ ଆସିଥିବା ଅର୍ନ୍ତଜାତୀୟ ଟୋଲି ଦ୍ୱାରା ଯୁଗ ସଙ୍ଗୀତ ଓ ପ୍ରଜ୍ଞା ପୁରାଣ କଥା ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ଯକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ ଅଂଚଳରୁ ଆସିଥିବା ପ୍ରାୟ ପଚାଶ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସୂଚନାଯୋଗ୍ଯ ଯେ ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଏବଂ ମହାମାରୀ କରୋନା ପରେ ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ଐତିହାସିକ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଏବଂ ସଂସ୍କାର ମହୋତ୍ସବ ଗୁରୁବାର ଠାରୁ ଆସନ୍ତା ରବିବାର ଯାଏଁ ଚାରିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଏନେଇ କମିଟି ତରଫରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି। ଏହି ମହାଯଜ୍ଞରେ ମୋଟ ୭୫୩ ଜଣ ଦମ୍ପତ୍ତି କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପ୍ରତ୍ଯହ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁ ଆହୁତି ଦେବେ ବୋଲି ଯଜ୍ଞ କମିଟି ତରଫରୁ ଆକଳନ କରାଯାଇଛି। ଆଜିର କାର୍ଯ୍ଯକ୍ରମରେ ବିଭିନ୍ନ ଅଂଚଳରୁ ଆସିଥିବା ଗାୟତ୍ରୀ ପରିଜନ ଏବଂ ସ୍ଥାନୀୟ ଶକ୍ତିପୀଠର ଭାଇଭଉଣୀ ଓ ସିନାପାଲି ଅଂଚଳର ବିଭିନ୍ନ ଅନୁଷ୍ଠାନ, ସଂଘ, କ୍ଲବର ହଜାର ହଜାର ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ। କାର୍ଯ୍ଯକ୍ରମର ବ୍ଯାପକତାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ତରଫରୁ କଡ଼ାକଡ଼ି ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିଲା।