ଓଡ଼ିଆ ବାର୍ତ୍ତା/ କଟକ (ଶ୍ରୀକାନ୍ତ ବେଉରା): ଅଲ୍ ଓଡିଶା ଇ.ପି.ଏଫ୍ ପେନସନରସ୍ ଆସୋସିଏସନ୍ ର କଟକ ଜିଲ୍ଲା କମିଟି ବୈଠକ ଆଜି ଖାନନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଇ.ପି.ଏଫ୍ ପେନସନଭୋଗୀଙ୍କ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କାକୁ ବୃଦ୍ଧି କରିବା ସହ ମହାଙ୍ଗାଭତ୍ତା ଦେବାଲାଗି ଆସୋସିଏସନ୍ ତରଫରୁ ଦୀର୍ଘବର୍ଷ ଧରି କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ ହୋଇ ଆସୁଅଛି। ଏଥିସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ୧୭ ଜଣ ସାଂସଦ ପେନସନ ବୃଦ୍ଧି ଲାଗି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଓ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ଏ ସବୁ ସତ୍ବେ କେନ୍ଦ୍ର ସରକାର ଇ.ପି.ଏଫ୍ ପେନସନଭୋଗୀ ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କର ବଞ୍ଚିବାର ଅଧିକାରକୁ ଅଣଦେଖା କରି ପେନସନ ବୃଦ୍ଧି କରୁନାହାନ୍ତି। ଆଜିର ବୈଠକରେ ଉପସ୍ଥିତ କର୍ମକର୍ତ୍ତା ମାନେ କେନ୍ଦ୍ର ସରକାରଙ୍କ ଏତାଦୃଶ ଉଦାସୀନତାର ତୀବ୍ର ନିନ୍ଦା କରିଥିଲେ। ଏହାର ପ୍ରତିବାଦରେ ଆସନ୍ତା ଫେବୃଆରି ମାସରେ ରାଜ୍ୟରେ ଥିବା ୪ଗୋଟି ଆଞ୍ଚଳିକ ଭବିଷ୍ୟନିଧି କାର୍ଯ୍ୟାଳୟ ସମ୍ମୁଖରେ ଦିନିକିଆ ଧାରଣା ଦିଆଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି କରାଗଲା।
ଏତତବ୍ୟତୀତ ଇ.ପି.ଏଫ୍ ପେନସନଭୋଗୀ ମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରି ନିଶୁଳ୍କ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରସ୍ତାବ ଗୃହୀତ ହେଲା। ଜିଲ୍ଲା ସଭାପତି ରାଜକିଶୋର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଉଦବୋଧନ ଦେଇ ଉପରୋକ୍ତ ଦାବୀ ସହ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଦେବା ଦାବୀକୁ ତୁରନ୍ତ ପୂରଣ କରିବା ବାବଦରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସମ୍ପାଦକ ବିନୋଦ କୁମାର ବେହେରା ବିବରଣୀ ଉପସ୍ଥାପନ କରିଥିଲେ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପଦେଷ୍ଟା ବିଷ୍ନୁ ଚରଣ ପଣ୍ଡା, ଉପସଭାପତି ସୁକାନ୍ତ ସ୍ବାଇଁ, ଯୁଗ୍ମ ସମ୍ପାଦକ ଶତ୍ରୁଘ୍ନ ପ୍ରଧାନ, ଅଲେଖ ଚରଣ ରାଉତ, ସୁରେଶ ଚନ୍ଦ୍ର ତରାଇ, ନରେନ୍ଦ୍ର ପ୍ରତାପ ଘୋଷ୍, ମୂରଲୀଧର ବେହେରା, ରଘୁନାଥ ବରାଳ, ରଞ୍ଜନ କୁମାର ଦାସ, ତାପସ କୁମାର ପାଳିତ, ଗୋବିନ୍ଦ ଚନ୍ଦ୍ର ନାୟକ, ରାମଚନ୍ଦ୍ର ବେହେରା, ଶ୍ରୀକାନ୍ତ କୁମାର ସିହ୍ନା, ବିପିନ୍ ବିହାରୀ ଦାସ, ପ୍ରତାପ କୁମାର ମିଶ୍ର ଓ ଆଦିତ୍ୟ କୁମାର ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ରାଜ୍ୟ ଯୁଗ୍ମ ସମ୍ପାଦକ ବୁଲେଇ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।