ଫେବୃୟାରୀ ୧୩ ରୁ ୧୮ ତହସିଲ୍ ସ୍ତରୀୟ ଜମାକାରୀ ସତ୍ୟାଗ୍ରହ ଓ ଏପ୍ରିଲ୍ ପ୍ରଥମାର୍ଦ୍ଧରେ ରାଜ୍ୟସ୍ତରୀୟ ଜମାକାରୀ ଗଣ ସତ୍ୟାଗ୍ରହ ଆହୂତ
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ୟସ୍ତରୀୟ ଜମାକାରୀ ଗଣ କନ୍ଭେନଶନ୍ ଆଜି ଭୁବନେଶ୍ବରସ୍ଥିତ ନାଗଭୂଷଣ ଭବନଠାରେ ଅନୁଷ୍ଠିତ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଞ୍ଜିସ୍କିମ୍ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରତିଶ୍ରୁତି ଦେଇ କରିଥିବା ପ୍ରତାରଣାର ଦୃଢ ସମାଲୋଚନା କରାଯାଇଛି । ରାଜ୍ୟ ସରକାର ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦେବାର ପ୍ରତିଶ୍ରୁତି ଦେଇ ପ୍ରଥମେ ନ୍ୟାୟମୂର୍ତ୍ତି ଆର.କେ. ପାତ୍ର ପରେ ପୁଣି ନ୍ୟାୟମୂର୍ତ୍ତି ମଦନ ମୋହନ ଦାସ କମିଶନଙ୍କ ଦ୍ବାରା ଆହୂତ ଜମାକାରୀ ସତ୍ୟପାଠର ସମସ୍ତ ଲଫାପା ଖୋଲି ନଥୁବା ବେଳେ ୭ଟି ଆନ୍ତରୀଣ ରିପୋର୍ଟ ପରେ କମିଶନ ଉଚ୍ଛେଦ କରିଦେଲେ । ଜମାକାରୀଙ୍କ ସତ୍ୟପାଠ କମିଶନଙ୍କ ଗୋଦାମଘରେ ନଷ୍ଟ ହେଲା । ଏପରିକି ନ୍ୟାୟମୂର୍ତ୍ତି ମଦନ ମୋହନ ଦାସଙ୍କ ଦ୍ଵାରା ରାଜ୍ୟ ସରକାରଙ୍କଠାରେ ଦାଖଲ ହୋଇଥିବା ୭ଟି ଆନ୍ତରୀଣ ରିପୋର୍ଟ ଭିଭିରେ ସରକାରଙ୍କ ନିକଟକୁ ଆସିଥିବା ରିପୋର୍ଟର ଜମାକାରି ନାମ ତାଲିକା ତହସିଲ୍ ଜରିଆରେ ଯାଞ୍ଚ ଶେଷ କଲେନାହିଁ । ଏବେ ତଦନ୍ତ କମିଶନ ଉଚ୍ଛେଦ ହୋଇଥିବାରୁ ଜମାକାରୀଙ୍କୁ ସିଧାସଳଖ ଭାବେ ସମ୍ପୃକ୍ତ ତହସିଲ୍ ଅନ୍ତର୍ଗତ ପ୍ରତ୍ୟେକ ଜମାକାରୀଙ୍କୁ ଚିହ୍ନଟ କରି ପ୍ରତ୍ୟେକ ଅସାଧୁ କମ୍ପାନୀ ବିରୋଧରେ ପୋଲିସ୍ ଦ୍ଵାରା ମକଦ୍ଦମା ପଞ୍ଜିକରଣ ସହ ସମସ୍ତ ଅସାଧୁ ସଂସ୍କାର ସମ୍ପତି ଜବତ କରି ତାକୁ ବଜାର ଦରରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ସହ ଖୋଲା ବଜାରରେ ନିଲାମ କରି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଦାବି କରାଯାଇଛି । ଯେଉଁ କମ୍ପାନୀମାନଙ୍କର ସମ୍ପତି ଏପର୍ଯ୍ୟନ୍ତ ଜବତ କରାଯାଇନାହିଁ, ତାହା ତୁରନ୍ତ ଜବତ କରି ଖୋଲା ବଜାରରେ ନିଲାମ କରିବାକୁ ଦାବି କରାଯାଇଛି ।
ଆଗାମୀ ୧୩ ଫେବୃୟାରୀରୁ ୧୮ ଫେବୃୟାରୀ ମଧ୍ୟରେ ରାଜ୍ୟବ୍ୟାପୀ ପ୍ରତ୍ୟେକ ତହସିଲ୍ ସ୍ତରରେ ଜମାକାରୀ ଗଣସତ୍ୟାଗ୍ରହ ସହ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ମାନ୍ୟବର ସୁପ୍ରିମକୋର୍ଟ ଓ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିକଟକୁ ଦାବିପତ୍ର ପ୍ରେରଣ ପାଇଁ ନିଷ୍ପତ୍ତି କରାଯାଇଛି । ଏପ୍ରିଲ୍ ପ୍ରଥମାର୍ଦ୍ଧରେ ରାଜ୍ୟସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଅଛି । ପ୍ରତ୍ୟେକ ତହସିଲ୍କୁ ଯାଞ୍ଚ ପାଇଁ ଯାଇଥିବା ଜମାକାରୀଙ୍କ ତାଲିକା ଫେବୃୟାରୀ ୮ ସୁଦ୍ଧା ପ୍ରତ୍ୟେକ ତହସିଲ୍ଦାରଙ୍କଠାରୁ ତହସିଲ୍ସ୍ତରୀୟ ନେତୃତ୍ୱ ସଂଗ୍ରହ କରିବେ । ଯେଉଁ ଜମାକାରୀଙ୍କ ତାଲିକା ଯାଇଛି ମାତ୍ର ଯାଞ୍ଚ ସମ୍ଭବ ହୋଇନାହିଁ, ସେହି ତାଲିକା ଆଣି ସମ୍ପୃକ୍ତ ଜମାକାରୀଙ୍କୁ ତହସିଲ୍ ନିକଟରେ ଉପସ୍ଥାପିତ କରାଯିବ । ସେହିଭଳି କେଉଁ ଜିଲ୍ଲାରେ କେତେଜଣ ଜମାକାରୀଙ୍କୁ କେତେ ଟଙ୍କା ଫେରସ୍ତ କରାଯାଇଛି, ସେ ରିପୋର୍ଟ ପ୍ରତ୍ୟେକ ଅତିରିକ୍ତ ଜିଲ୍ଲାପାଳଙ୍କଠାରୁ ଜିଲ୍ଲା ନେତୃତ୍ବ ସଂଗ୍ରହ କରିବେ । ଫେବୃୟାରୀ ପ୍ରଥମ ସପ୍ତାହରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପ୍ରତ୍ୟେକ ଗ୍ରାମରୁ ଅନ୍ୟୁନ୍ୟ ୧୦ଜଣ ଜମାକାରୀଙ୍କୁ ମଞ୍ଚ ସହ ସଂଯୋଗ ଅଭିଯାନ ଚାଲିବ । ଆସନ୍ତା ୮ ଫେବୃୟାରୀରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛତ୍ରପୁରଠାରେ ଓ ୧୦ ଫେବୃୟାରୀ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ପାଇଁ ମଞ୍ଚ ପକ୍ଷରୁ ଆହ୍ବାନ ଦିଆଯାଇଛି ।
ଆଜି ଜମାକାରୀ ମିଳିତମଞ୍ଚର ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜମାକାରୀ ଗଣକନ୍ଭେନ୍ସନ୍ରେ ମଞ୍ଚ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ଏବଂ ରବି ଦାସ, ମଞ୍ଚ ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, ମଞ୍ଚ କର୍ମକର୍ତ୍ତା ବିଭୂଦତ୍ତ ମିଶ୍ର, ଅଖଳମୋହନ ଲେଙ୍କା, ଅନୁରାଧା ସୁବୁଦ୍ଧି, ପ୍ରଦୀପ ମହାରଣା, ଚଣ୍ଡାଳ ପ୍ରଧାନ, ଉମେଶ ଚନ୍ଦ୍ର ନାୟକ, ସାହାରା ଜମାକାରୀ ମଞ୍ଚର ନେତା ବିଜୟ କୁମାର ପାଢୀ, ସଂଜୀବ ପଣ୍ଡା, ମଞ୍ଚର ବିଭିନ୍ନ ଜିଲ୍ଲାର ନେତା ତ୍ରିନାଥ ପଣ୍ଡା, ରମେଶ ମହାନନ୍ଦିଆ, ବରୁଣ ବିଶି, ବାସୁଦେବ ମେହେର, ଉମେଶ ଚନ୍ଦ୍ର ସାହୁ, ସୁଶାନ୍ତ ମହାପାତ୍ର, କିଶୋର ବଗର୍ତ୍ତି, ତୀର୍ଥରାମ ରଣା, ରଞ୍ଜନ ସାହୁ, ଦେବରାଜ ବେହେରା, ତପନ କୁମାର ସିଟ୍, ଅଶୂଳ ଚନ୍ଦ୍ର ପାପାଲି, ସଦାନନ୍ଦ ଗୁଣ୍ଡା, ଶିବ ପ୍ରସାଦ ପଣ୍ଡା, ଯୁଧୁଷ୍ଠିର ମହାରଣା, ସୁପାଇ ବେଶ୍ରା, ଲବ ପୁଟେଲ, ବିଜୟ ସାହୁ, ସ୍ଵରୂପ ଦାସ, ଭାଗିରଥ ପଣ୍ଡା ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ବକ୍ତବ୍ୟ ଦେଇ ଶେଷ ଜମାକାରୀର ଟଙ୍କା ଫେରସ୍ତ ପର୍ଯ୍ୟନ୍ତ ଜମାକାରୀ ଗଣସତ୍ୟାଗ୍ରହକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ ।