ଫୁଲ ପାଖୁଡାରେ ଡ୍ରେସ୍‌

ଭିନ୍ନ ଭିନ୍ନ ଲୋକଙ୍କର ମାନସିକତା ଅନୁସାରେ ଭିନ୍ନ ଭିନ୍ନ ସଉକ ମଧ୍ୟ ଥାଏ । କେହି କେହି ପଶୁପକ୍ଷୀଙ୍କୁ ଭଲ ପାଉଥିବା ବେଳେ ଆଉ କିଏ ଗଛଲତାକୁ ଭଲ ପାଇଥାନ୍ତି । ଏମିତି ଜଣେ ମହିଳା ଯିଏକି ଗଛଲତାକୁ ଭଲ ତ ପାଇଥାନ୍ତି, ତାସହିତ ଭଲ ପାଇବାର ନିଦର୍ଶନ ସ୍ୱରୂପ ଫୁଲ ପାଖୁଡ଼ାରେ ଡ଼୍ରେସ ତିଆରି ନିଜେ ପିନ୍ଧିଥାନ୍ତି ଓ ବିକ୍ରି ମଧ୍ୟ କରିଥାନ୍ତି ।

ଜାପାନର ୨୦ ବର୍ଷୀୟା କଳାକାର ମୋମୋତ୍ ସୁକିଙ୍କ ଏଭଳି ଅଜବ ସଉକ ରହିଛି । ବାସ୍ତବରେ ସେ ଜଣେ କଳ୍ପନାବିଳାସୀ ଓ ବୃକ୍ଷପ୍ରେମୀ । ବେଶ୍ ନିଖୁଣତାର ସହ ଏହି ଦୁଇଟିର ମିଶ୍ରଣ କରି ଏକ ସୁନ୍ଦର ନିଦର୍ଶନ ସୃଷ୍ଟି କରିଛନ୍ତି । ପିଲାଦିନୁ ସେ ଗଛଲତାକୁ ବହୁତ ଭଲ ପାଉଥିବାରୁ ବଗିଚା କାମ କରିବା ଥିଲା ତାଙ୍କର ପ୍ରଥମ ପସନ୍ଦ । ତେଣୁ ନିଜ ବଗିଚାରେ ଅନେକ ପ୍ରକାରର ଫୁଲ ଗଛ ସେ ଲଗାଇଛନ୍ତି । ଏଥିପାଇଁ ସେ ଫୁଲ ବଗିଚାରେ ଘଣ୍ଟା ଘଣ୍ଟା ସମୟ ବିତାଇଥାନ୍ତି । ସେ କଳ୍ପନାବିଳାସୀ ହୋଇଥିବାରୁ ଅନେକ ସମୟରେ ନିଜ ମନରେ ପରୀଙ୍କୁ ନେଇ କଳ୍ପନା କରନ୍ତି, ଯେଉଁଥିରେ ପରୀମାନେ ସୁନ୍ଦର ଡ୍ରେସ୍ ପିନ୍ଧିଥିବା ତାଙ୍କ ମନକୁ ଆସେ । ନିଜର ଏଇ ଭାବନାକୁ ନେଇ ଫେୟାରୀ ଡ୍ରେସ୍‌କୁ ତିଆରି କରିବାକୁ ଯୋଜନା କଲେ । ନିଜ ବଗିଚାର ସୁନ୍ଦର ସୁନ୍ଦର ଫୁଲର ପାଖୁଡାରେ ଡ଼୍ରେସ ତିଆରି କରିବାର ଉଦ୍ୟମ କଲେ । ଖାଲି ନିଜ ବଗିଚାର ଫୁଲ ନୁହେଁ, ଏଠି ସେଠି ପରିତ୍ୟକ୍ତ ଭାବେ ପଡିଥିବା ଫୁଲକୁ ସେ ସଂଗ୍ରହ କରି ପାଖୁଡାକୁ ସାବଧାନତାର ସହ ଅଲଗା କଲେ । ତାକୁ ନେଇ ଭିନ୍ନ ଭିନ୍ନ ଡିଜାଇନ୍‌ର ସୁନ୍ଦର ଫେୟାରୀ ଡ୍ରେସ୍ ତିଆରି ମଧ୍ୟ କଲେ । ସେଇ ଡ୍ରେସ୍‌ଗୁଡିକ ଏତେ ସୁନ୍ଦର ହେଲା ଯେ, ତାଙ୍କୁ ସବୁଆଡ଼ୁ ମିଳିଲା ଭରପୂର ପ୍ରଶଂସା । ଏବେ ସେହି ଡ଼ିଜାଇନର ଡ଼୍ରେସ କୁ ଖୁବ୍ ପସନ୍ଦ କରୁଛନ୍ତି ଫେଶନକୁ ଭଲ ପାଉଥିବା ଲୋକମାନେ । ଏହ କାରଣରୁ ମୋମୋତ୍‌ଙ୍କ ଫୁଲ ଫେଶନ ଡ଼୍ରେସ ଖୁବ୍ ବିକ୍ରି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.