ଗଂଜେଇ ଗଛ ନଷ୍ଟ ଅଭିଯାନକୁ ସଫଳ କରୁଛି ରାୟଗଡା ଜିଲ୍ଳା ଅବକାରୀ ବିଭାଗ

ନିଧିଗୁଡି ଗ୍ରାମାଂଚଳରେ ନଷ୍ଟ କଲେ ୨୦ହଜାର ଗଂଜେଇ ଗଛ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିବାସୀ ଅଧ୍ୟୁଷିତ ମାଓ ପ୍ରବଣ ରାୟଗଡା ଜିଲ୍ଳାରେ ବେଫିକର ହୋଇ ଗଂଜେଇ ଚାଷ କରିବାରେ ଲାଗିଛନ୍ତି ମାଫିଆମାନେ । ତେବେ ମାଫିଆଙ୍କ ଏହି ଗଂଜେଇ ଚାଷକୁ ପଣ୍ଡ କରିବାରେ ଲାଗି ପଡିଛି ରାୟଗଡା ଜିଲ୍ଳା ଅବକାରୀ ବିଭାଗ । ଜିଲ୍ଳାକୁ ସଂପୂର୍ଣ୍ଣ ଗଂଜେଇ ଚାଷରୁ ମୁକ୍ତ କରିବା ପାଇଁ ଗଂଜେଇ ଗଛ ନଷ୍ଟ ଅଭିଯାନକୁ ସଫଳ କରିବାର ପ୍ରଣ ନେଇଛି ଜିଲ୍ଳା ଅବକାରୀ ବିଭାଗ । ରାଜ୍ୟ ଅବକାରୀ କମିଶନର ଆଶିଷ ସିଂ ଓ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଳା ଅବକାରୀ ବିଭାଗର କର୍ମଚାରୀମାନେ ଜିଲ୍ଳା ପୋଲିସ ଓ ବନ ବିଭାଗ ସହ ମିଶି ମିଳିତ ଭାବେ ଜିଲ୍ଳାରେ ହେଉଥିବା ଗଂଜେଇ ଚାଷ ଅଂଚଳକୁ ଯାଇ ଗଂଜେଇ ଗଛଗୁଡିକୁ କାଟିବା ସହ ପୋଡି ନଷ୍ଟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଳା ପଦ୍ମପୁର ଥାନା ଅଧିନସ୍ତ ନିଧିଗୁଡା ଗ୍ରାମାଂଚଳର ଦୁର୍ଗମ ସ୍ଥାନରେ କରାଯାଇଥିବା ଗଂଜେଇ ଚାଷର ୯୦ହଜାର ଗଛକୁ ନଷ୍ଟ କରାଯାଇଥିଲା ।

ଏଥିରେ ଅବକାରୀ ବିଭାଗ ପକ୍ଷରୁ ୨୦ହଜାର ଗଂଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ପୋଲିସ ଓ ବନ ବିଭାଗ ପକ୍ଷରୁ ୭୦ହଜାରଟି ଗଛ ନଷ୍ଟ କରାଯାଇଥିଲା । ଏଥିସହ ଅବକାରୀ ପୋଲିସ ପକ୍ଷରୁ ରାୟଗଡା ଅଂଚଳରେ ଚଢାଉ କରାଯାଇ ୧୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୭ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ୩୭୨ଲିଟର ଦେଶୀ ରନ୍ଧା ମଦ, ୯୦ଲିଟର ତାଡି ସହ ୨୮୧୦ଲିଟର ମହୁଲ ପୋଚକୁ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ ଗୋଟିଏ ସାଇକେଲ ମଧ୍ୟ ଜବତ ହୋଇଥିବା ନେଇ ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.