ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ବାଲଗୋପାଲ ସେବା ନିକେତନ ଓ ଆୟୁଧ ( ଅମୃତାନନ୍ଦମୟୀ ମଠର ଯୁବଶାଖା) ଦ୍ଵାରା ଭବାନୀପାଣା ବ୍ଲକ ଶଗଡା ପଂଚାୟତ ଅନ୍ତର୍ଗତ କାଦୋପଦର ଗ୍ରାମରେ ଅମୃତା ମାତୃପିତୃ ସେବା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ତଥା ସମାଜସେବୀ ମାତା ଅମୃତନନ୍ଦମୟୀ ଦେବୀଙ୍କ ନାମରେ ଏହା ନାମିତ। ତାଙ୍କ ଶିଷ୍ୟା ଡ.ଯଶୋଧାରା ମିଶ୍ରଙ୍କ ପ୍ରେରଣାରେ ଓ ରଜନୀ ମେନନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୃଦ୍ଧ ବୃଦ୍ଧା ମାତାପିତାଙ୍କୁ ଅବହେଳା ନ କରି ସମ୍ମାନର ସହ ସେମାନଙ୍କ ସେବା ଯତ୍ନ କରି ଆନନ୍ଦ ଦେବା ପାଇଁ ବର୍ତ୍ତମାନର ଯୁବ ସମାଜକୁ ଏକ ସନ୍ଦେଶ ଦେବାକୁ ପ୍ରୟାସ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ କାଦୋପଦର ଓ ନିକଟବର୍ତ୍ତୀ ଡାକି ବଣ୍ଡେଲ, ନାକଝରି, ରାଚୁ ଗୁଡ଼ା, ମେର୍କୁଲ, ଆମ୍ ଜୋର୍, ସର୍ଗିଗୁଡ଼ା, ଉପର ରାଚୂଗୁଡ଼ା, ତଳ ରଚୁଗୁଡ଼ା, କିଟ୍ ପଦର, ସିକର ଗୁଡ଼ା, ଦୁଆର୍ ସୁନି, ବନ୍ଧ ଟିକ୍ଲି, କୋଟେନ୍ ପଦର, ପର୍ ଲଙ୍ଗ ଗୁଡ଼ା, ଡାଲ ଗୁମା, ପଏର ମଲ୍, ପଲ୍ସା ପଦର, କୋସ୍ଲା ପଦର୍ ସମେତ ୧୮ଟି ଗାଁ ର ୨୦୨ ଜଣ ପୁରୁଷ ଓ ୪୦୧ ଜଣ ମହିଳା ସର୍ବମୋଟ ୬୦୩ ଜଣ ବିପିଏଲ ଶ୍ରେଣୀର ବରିଷ୍ଠ ନାଗରିକ ମାତାପିତାଙ୍କୁ ଅନ୍ନ ସେବା, ବସ୍ତ୍ର ସେବା, ସ୍ବାସ୍ଥ୍ୟ ସେବା , ସତ୍ ସଙ୍ଗ ଯୋଗାଇ ଦିଆ ଯାଇଥିଲା। ଡ଼ା ବିଶ୍ୱଜିତ୍ ହୋତା, ଡ଼ା ଗୀତାଞ୍ଜଳି ସାହୁ, ଡ଼ା ଅନୁଜା ପାଣ୍ଡେ, ଡ଼ା ଅଯୋଧ୍ୟା ବେହେରା ପ୍ରମୁଖ ସେବା ପ୍ରଦାନ କରିଥିଲେ। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଦ୍ଵାରା ପ୍ରେରିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ସାହାଯ୍ୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ମୋତିଆ ବିନ୍ଦୁ ପରୀକ୍ଷା କରାଯାଇ ୨୬ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ଗୁରୁବାର ଭବାନୀପାଟଣା ଅଣାଯାଇ ଜଗନ୍ନାଥ ନେତ୍ରାଳୟଠାରେ ନିଃଶୁଳ୍କ ଅସ୍ତ୍ରୋପଚାର କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ରଞ୍ଜନ କୁମାର ମିତ୍ର ସମସ୍ତ ଡାକ୍ତର ଓ ତାଙ୍କ ସହଯୋଗୀ, ଜଗନ୍ନାଥ ନେତ୍ରାଳୟ କାର୍ଯ୍ୟକର୍ତ୍ତାଙ୍କୁ ବାଲଗୋପାଲ ସେବା ନିକେତନ ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡ କୃତଜ୍ଞତା ଜଣାଇଥିଲେ।