ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ଓଡ଼ିଶା ରାଜ୍ୟ ସଭାପତି ତ୍ରିମନ୍ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ୩୦ ଗୋଟି ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ କଳାକାରଙ୍କ ବିଭିନ୍ନ ସମସ୍ୟାକୁ ନେଇ ୧୫ ଦଫା ଦାବିପତ୍ର ପ୍ରଦାନ କରାଯାଉଛି। ଏହି କ୍ରମରେ ରାୟଗଡ଼ା ଜିଲ୍ଲା ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦର ସଭାପତି ସନ୍ତୋଷ କୁମାର ତାଣ୍ଡି , ସଂଯୋଜକ ସନ୍ତୋଷ କୁମାର ବଛା, ସମ୍ପାଦିକା ତନ୍ୱି ଅଗ୍ରୱାଲଙ୍କ ନେତୃତ୍ୱରେ ଶତାଧିକ କଳାକାର ମାନେ ଏକତ୍ରିତ ହୋଇ ସ୍ଥାନୀୟ ଆଇବି ବଙ୍ଗଳା ଠାରୁ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଦାବୀପତ୍ରଟିକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଗ୍ରହଣ କରିଛନ୍ତି। ଏହି ସମୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରି ଉପସ୍ଥିତ ରହିଥିଲେ। ମୁଖ୍ୟତଃ ଏହି ସବୁ ଦାବୀ ମଧ୍ୟରେ କଳାକାର ଭତ୍ତା ୧୨୦୦ ପରିବର୍ତ୍ତେ ୩୦୦୦ ଟଙ୍କା କରିବା, ଜନ ସଚେତନ କାର୍ଯ୍ୟ ପାଇଁ ପ୍ରତି ବର୍ଷ ସ୍ଵତ୍ୱନ୍ତ୍ର ୨୦୦ ରୁ ୩୦୦ କୋଟି ଟଙ୍କାର ପ୍ୟକେଜ୍ ଘୋଷଣା କରିବା, କଳାର ବିକାଶ ପାଇଁ ୟୁନିସେଫ୍ କୁ ପୁନର୍ବାର କାର୍ଯ୍ୟକାରୀ କରିବା, ସରକାରୀ ସ୍ତରରେ କଳାକାର ମାନଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରେରଣ କରୁଥିବା ସମୟରେ ଦୁର୍ଘଟଣା କିମ୍ବା କ୍ଷତିଗ୍ରସ୍ତ ହେଇଥିବା ପରିବାର ଲୋକ କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ବୀମା ସୁବିଧା ଯୋଗେଇବା, କଳାକାରଙ୍କ ପରିବାରର ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସ୍ୱତ୍ୱନ୍ତ୍ର ସରକାରୀ ବ୍ୟବସ୍ଥା କରିବା, କଳାକାରର ମୃତ୍ୟବରଣ ହେଲେ ଦଶାହ କାର୍ଯ୍ୟ ପାଇଁ ସ୍ୱତ୍ୱନ୍ତ୍ର ପ୍ୟାକେଜ୍ ଘୋଷଣା କରିବା, ଭତ୍ତା ପାଉଥିବା କଳାକାରଙ୍କ ଆକସ୍ମିତ ମୃତ୍ୟ ପରେ ତାଙ୍କ ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ଭତ୍ତା ପ୍ରଦାନ କରିବା, କଳାକାରଙ୍କୁ ଟ୍ରେନରେ ଯିବା ଆସିବା ପାଇଁ ପାସ୍ ବ୍ୟବସ୍ଥା କରିବା, ଜିଲ୍ଲା, ବ୍ଲକ ଓ ନଗର କଳା ଓ ସଂସ୍କୃତି ସଂଘ ଉପ ସଭାପତି ମାନଙ୍କ ସରକାରୀ କାର୍ଯ୍ୟକ୍ରମ ଗ୍ରସ୍ତ ସମୟରେରେ ଟିଏଡିଏର ବ୍ୟବସ୍ଥା କରିବା, ସରକାରଙ୍କ ନୀତି ନିୟମ ଭିତରେ ଆସୁଥିବା କଳାକାର ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ପ୍ରଦାନ କରିବା , ଜିଲ୍ଲା, ବ୍ଲକ୍ ଓ ନଗର କଳା ଓ ସଂସ୍କୃତି ସଂଘର ଉପସଭାପତି ମାନଙ୍କୁ ସରକାରୀ କାର୍ଯ୍ୟାଳୟରେ ଉଚିତ୍ ମର୍ଯ୍ୟାଦା ସହ ସମ୍ମାନ ଦେବା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଫାଇବ୍-ଟି ସଚିବଙ୍କ ଧ୍ୟାନ ଆକର୍ଷଣ କରି ଏହାକୁ ସୁପରିଚାଳନା ବ୍ୟବସ୍ଥା କରିବା, ପଞ୍ଜିକୃତ ହୋଇଥିବା ଦଳ ମାନଙ୍କୁ ପୋଷାକ ବାଦ୍ୟ ଯନ୍ତ୍ର କିଣିବା ନିମନ୍ତେ ଦଳର ସଦସ୍ୟ ସଂଖ୍ୟା ଅନୁଯାୟୀ ଅନ୍ତତଃ ବାର୍ଷିକ ୨୦ ହଜାର ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବା।
ମୁଖ୍ୟମନ୍ତ୍ରୀ କଳା ସହାୟତା ଯୋଜନାରେ କଳାକାର ଭତ୍ତା ଚୟନ ପାଇଁ ୫୦ ହଜାର ଟଙ୍କା ବାର୍ଷିକ ଆୟ ପ୍ରମାଣ ପତ୍ର ନିୟମ କୁ ୬୦ ହଜାର ଟଙ୍କା ବୃଦ୍ଧି କରିବା, ବର୍ଷ ମଧ୍ୟରେ ୧୦୦ ରୁ ୧୫୦ ଦିନ କାମ ଯୋଗେଇ ଦେବା, ଜିଲ୍ଲା,ବ୍ଲକ ଓ ନଗର କଳା ଓ ସଂସ୍କୃତି ସଂଘ ଉପ ସଭାପତି ମାନଙ୍କ ପାଇ କାର୍ଯ୍ୟାଳୟ ବ୍ୟବସ୍ଥା କରିବା, ପ୍ରତି ଜିଲ୍ଲା ଓ ବ୍ଲକ ରେ ସାଂସ୍କୃତିକ ଭବନ ନିର୍ମାଣ କରିବା ଏହି ଦାବୀପତ୍ର ରେ ଉଲ୍ଲେଖ ରହିଛି। ଏହି ୧୫ ଦଫା ଦାବୀପତ୍ର ଦେବା ପରେ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ ନ ହେଲେ ଓଡ଼ିଶା ର ହଜାର ହଜାର କଳାକାର ଏକତ୍ରିତ ହୋଇ ବିଧାନସଭା ଘେରାଉ କରିବା ସହ ଧାରଣାରେ ବସିବା ପାଇଁ ମଧ୍ୟ ଏହି ଦାବୀପତ୍ର ରେ ଉଲ୍ଲେଖ ରହିଛି। ଏହି ଦାବୀପତ୍ର ଦେବା ସମୟରେ ଗୁଡ଼ାରି ବ୍ଲକ ଉପ ସଭାପତି ଶ୍ରୀ ମାଝୀ କୁମ୍ଭାର , ପଦ୍ମପୁର ବ୍ଲକ ଉପ ସଭାପତି ଶ୍ୟାମ କୁମାର ସାହୁ, ବିଷମକଟକ ବ୍ଲକ ଉପ ସଭାପତି ମଧୁସୂଦନ ମହାପାତ୍ର, ମୁନିଗୁଡ଼ା ବ୍ଲକର ନାଟ୍ୟ ସଙ୍କୀର୍ତ୍ତନ ଗୁରୁ ଲକ୍ଷ୍ମୀକାନ୍ତ ନାୟକଙ୍କ ସମେତ ଶତାଧିକ କଳାକାରମାନେ ଯୋଗ ଦେଇଥିଲେ।